ଭୁବନେଶ୍ବର: ରାଜ୍ୟ ପୁଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅାଜି ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନେଷ୍ଟବଳ ଠାରୁ ଇନ୍ସ୍ପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି। ଇନ୍ସ୍ପେକ୍ଟରମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ରୁ ୮୬୦୦ ଟଙ୍କା, ସବ୍ଇନ୍ସ୍ପେକ୍ଟର ଓ ଏଏସ୍ଆଇଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହିଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା ଏବଂ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ପଦବିର ସମାନ ରୢାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।
ସେହିପରି କନେଷ୍ଟବଳ, ସିପାହି ଓ ସମାନ ରୢାଙ୍କର କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସହ ହାବିଲଦାର ଓ ସମାନ ରୢାଙ୍କର କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ହେବା ପରେ ଆଜି କନେଷ୍ଟବଳ, ହାବିଲଦାର ଓ ସିପାହି ସଂଘର କର୍ମକର୍ତ୍ତାମାନେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।
କନେଷ୍ଟବଳ, ହାବିଲଦାର ଓ ସିପାହିଙ୍କ ‘ଅତିରିକ୍ତି ଡ୍ୟୁଟି ପ୍ରୋତ୍ସାହନ ରାଶି’ ବି ବଢ଼ିଲା
ଶାନ୍ତିଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶାକୁ ଆଦର୍ଶ ରାଜ୍ୟ କରିବା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନଗୁଡ଼ିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୁଲିସ ସେବା କର୍ମଚାରୀମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡ଼ିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଅସହାୟମାନେ କିଭଳି ଯଥାଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବା ଓ ସମସ୍ତ ପୁଲିସ ଷ୍ଟେସନରେ ତୁରନ୍ତ ଏଫ୍ଆଇଆର୍ ଗ୍ରହଣ ଏବଂ ସେହି ଏଫ୍ଆଇଆର୍ ଉପରେ କିଭଳି ଠିକ୍ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏବେ ରାଜ୍ୟ ପୁଲିସ ବାହିନୀରେ ୧୬ହଜାର ପଦବି ଖାଲିଥିବା ବେଳେ ୧୬୦୫୯ଟି ନୂଆ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି।
ଏସବୁ ପଦବି ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୁଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବୈଠକରେ ପୁଲିସ ଡିଜି ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଂପାଦକ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/2YN2lzUilaHP2RaZ1zFW.jpg)