ଏନ୍‌ଟିପିସି ଡୁଲିଙ୍ଗା କୋଇଲା ଖଣି ବନ୍ଦ ଆନ୍ଦୋଳନ: ବିସ୍ଥାପିତଙ୍କୁ ଉଠାଇନେଲା ପୁଲିସ

ମା’ ସହ ୧୨ ଶିଶୁ ବି ଥାନାରେ ଅଟକ, ଥାନାରେ ବିଧାୟିକା ଓ ଯୁବନେତାଙ୍କ ଧାରଣା

ସୁନ୍ଦରଗଡ଼/ହେମଗିର : ଏନ୍‌ଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ବିସ୍ଥାପିତ ଭୂମିହୀନଙ୍କୁ ପୁନର୍ବାସ, ଥଇଥାନ ସମ୍ପର୍କିତ ଅନ୍ୟ ସୁବିଧା ସହ ଅନୁଗ୍ରହ ରାଶି ପ୍ରଦାନ କରାନଯିବା ପ୍ରତିବାଦରେ ଶୁକ୍ରବାରଠାରୁ ଖଣି ବନ୍ଦ ଆନ୍ଦୋଳନ ଜାରି ରହିଥିଲା। ରବିବାର ଆନ୍ଦୋଳନସ୍ଥଳରୁ ପୁଲିସ ଅତି ସମ୍ବେଦନହୀନ ଭାବେ ବିସ୍ଥାପିତ ପରିବାରର ମା’ କୋଳରେ ଥିବା ଏକ ୫ ମାସର ଛୁଆ ସମେତ ୧୨ ଶିଶୁ, ୨୨ ମହିଳା ଓ ୨୮ ପୁରୁଷଙ୍କୁ ଉଠାଇ ନେଇ ହେମଗିର ଥାନାରେ ଅଟକ ରଖିଛି। ବାପାମା’ଙ୍କୁ ପୁଲିସ ଭ୍ୟାନ୍‌କୁ ଟାଣି ନେଉଥିବା ବେଳେ ସେମାନଙ୍କ ସହ ଥିବା ଶିଶୁମାନେ ଅସହାୟ ହୋଇ କାନ୍ଦିଥିଲେ। ମାତ୍ର ପୁଲିସ, ପ୍ରଶାସନ ନିର୍ଦ୍ଦୟ ଆଚରଣ ପ୍ରଦର୍ଶନ କରିବାକୁ କୁଣ୍ଠାବୋଧ କରି ନଥିବା ଅଭିଯୋଗ ହୋଇଛି।

ଏନ୍‌ଟିପିସି କମ୍ପାନି ପୁନର୍ବାସ ଓ ଥଇଥାନ ସହ ଅନୁଗ୍ରହ ରାଶି ପ୍ରଦାନ ନେଇ ଅନେକ ପ୍ରତିଶ୍ରୁତି ଦେଇ ଭିଟାମାଟି ନେବାପରେ ଆଉ ଧରାଛୁଆଁ ଦେଉନାହାନ୍ତି। ଅନ୍ୟ ବର୍ଗର ବିସ୍ଥାପିତଙ୍କୁ ପେନ୍‌ସନ୍‌, ଚାକିରି ମିଳିଥିବା ବେଳେ ଭୂମିହୀନ ୫ ବର୍ଗର ବିସ୍ଥାପିତଙ୍କୁ ଉପେକ୍ଷା କରାଯାଉଛି। ବିଶେଷକରି, ଖଣିରେ ଜୀବିକାର ଉତ୍ସ ଲଘୁ ବନଜାତ ଦ୍ରବ୍ୟର ଜଙ୍ଗଲ ଧ୍ବସ୍ତ ହୋଇଯାଇଥିବା ବେଳେ ଡୁଲିଙ୍ଗା, ମଝାପଡା, ବେଲଡିହି ଗାଁର ଏହି ବର୍ଗର ବିସ୍ଥାପିତ କେମିତି ପରିବାର ଚଳାଇବେ ସେ ନେଇ ଚିନ୍ତାରେ ରହିଛନ୍ତି। ଏପରିସ୍ଥଳେ କମ୍ପାନି ପେନ୍‌ସନ୍‌ ବା ଚାକିରି ସୁବିଧାରୁ ବଞ୍ଚିତ କରିଛି। ଏହିଭଳି ଅଭିଯୋଗ ନେଇ ବିସ୍ଥାପିତମାନେ ଗତ ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଆଜି ପୂର୍ବାହ୍ନରେ ଧାରଣାସ୍ଥଳକୁ ଯାଇ ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ଦାବି ପୂରଣ ପାଇଁ ଜିଦ୍‌ ଧରିଥିଲେ। ଫଳରେ, ପ୍ରଶାସନର ନିର୍ଦ୍ଦେଶକ୍ରମେ ପୁଲିସ ବଳ ପ୍ରୟୋଗ କରିଥିଲା।

ଏହାକୁ ନେଇ ବିସ୍ଥାପିତ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ହେମଗିର ଥାନା ଆଗରେ ସାନଘୁମୁଡ଼ା ସରପଞ୍ଚ ରେବତୀ ଛତ୍ରିଆଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଖବର ପାଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେ‌ଟେ ଓ ଜନଶକ୍ତି ବିକାଶ ପରିଷଦ ନେତା ରାଜେନ୍ଦ୍ର ନାଏକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରଥ ପ୍ରଧାନ ପହଞ୍ଚି ପୁଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରି ଧାରଣାରେ ସାମିଲ ହୋଇଛନ୍ତି। ଯାହା ପୁଲିସ, ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଅକ୍ଟୋ‌ବର ୨୮ରେ ଅନୁଷ୍ଠିତ ପୁନର୍ବାସ ଓ ପାରିପାର୍ଶ୍ବିକ ବିକାଶ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକରେ ଆର୍‌ଡିସି ଭୂମିହୀନ ଓ ୪ ଡିସିମିଲ ଡିହଧାରୀ ବିସ୍ଥାପିତଙ୍କୁ ଅନୁଗ୍ରହ ବା ସହାୟତା ରାଶି ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ କମ୍ପାନି ଏଡ଼ାଇ ଯିବାକୁ ମସୁଧା ଚଲାଇଥିବା ବିସ୍ଥାପିତ ଅଭିଯୋଗ କରି ଆସୁଛନ୍ତି। ଏପରିକି ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନ‌ରେ ଏକ ପାଞ୍ଚ ଜଣିଆ କମିଟି ଏହି ଅନୁଗ୍ରହ ରାଶି ପ୍ରଦାନ ଉପରେ ଆଲୋଚନା କରିବାକୁ ହୋଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ନା ପ୍ରଶାସନ ନା କମ୍ପାନି କେହି ବି ଆଗ୍ରହ ପ୍ରକାଶ କରୁ ନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର