ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କିଛି ଏଭଳି ରହିଛି ପୁଲିସର ପ୍ରସ୍ତୁତି

ପୁରୀ: ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେ ପୁରୀସ୍ଥିତ ଟାଉନହଲ ପରିସରରେ ଡିଜିପି ଶ୍ରୀ ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ବଂସଲ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର,ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି । ରଥଯାତ୍ରା ନିମନ୍ତେ ୧୮୦ ପ୍ଲାଟୁନ୍ ଫୋର୍ସ, ୧୮ଜଣ ଏସପି ରାଙ୍କର ଅଧିକାରୀ, ୩୩ ଜଣ ଅତିରିକ୍ତ ଏସପି, ୭୪ ଜଣ ଏସପି, ୧୩୬ ଇନ୍ସପେକ୍ଟର, ୭୨୧ଏସ୍ଆଇ/ଏଏସ୍ଆଇ,୧୦୭ ହାବିଲଦାର, ୬୭୩ କନେଷ୍ଟବଳ, ୨୦୦୮ ହୋମଗାର୍ଡ ନିୟୋଜିତ କରାଯିବା ବୋଲି ଜଣାପଡିଛି । ଆଇଜି (ଅପରେସନ୍) ଅମିତାଭ ଠାକୁର କହିଥିଲେ ଯେ, ପୁରୀ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ମୋଟ ୧୦ଟି ଜୋନ୍ ଓ ୨୯ଟି ସେକ୍ଟରରେ ଭାଗ କରାଯାଇଛି । ଏହାସହ ଦୁଇ ଚକିଆ, ଚାରି ଚକିଆ ଯାନ ପାର୍କିଂ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା ରଥଯାତ୍ରା ସମୟରେ କର୍ତବ୍ୟନିଷ୍ଠ ତଥା ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୁଲିସ୍ ଅଧିକାରୀ/କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।

ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନରେ ରହୁଥିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ୱ ବହୁମାତ୍ରାରେ ବଢି ଯାଇଥାଏ । କୌଣସି ଅଘଟଣକୁ ଏଡାଇବା ପାଇଁ ବମ ଡିସ୍ପୋଜାଲ୍ ସ୍କ୍ୱାଡ୍, ପୁରୀର ପ୍ରବେଶ ପଥରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଡିଜିପି (ପୂର୍ବତଟ ରେଳପଥ ଓ ଉପକୂଳ ସୁରକ୍ଷା) ସୁଧାଂଶୁ କୁମାର ଷଡ଼ଙ୍ଗୀ ୧୧୪୧ ଜଣ କର୍ମଚାରୀଙ୍କୁ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଥିଲେ । ଏହାସହ ପୁରୀ ସହର ଦେଇ ଟ୍ରେନ୍ ଚଳାଚଳ କରୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହାକୁ ପ୍ରତିହତ କରିବାକୁ ଉଭୟ ଆରପିଏଫ ଏବଂ ରେଳବାଇ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହାସହ ପୁରୀ ଉପକୂଳରେ ସମୁଦ୍ର ଭିତରେ ୧୨ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବା ସହ ବାହ୍ୟଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି ବୋଲି ସେ କହିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ, ଡିଆଇଜି(ଏସ୍ଟିଫ୍) ଜୟ ନାରାୟଣ ପଙ୍କଜ, ଡିଆଇଜି(ଏସ୍ଆଇଡବ୍ଲୁ୍ୟ) ଅନିରୁଦ୍ଧ କୁମାର ସିଂ, ଡିଆଇଜି(ଗୁଇନ୍ଦା) ଅନୁପ୍ କୁମାର ସାହୁ, ଭୁବନେଶ୍ୱର-କଟକ କମିଶନରେଟ ପୁଲିସର ଅତିରିକ୍ତ ସିପି ଡ. ଉମାଶଙ୍କର ଦାଶ, ପୁରୀ ଏସପି କନୱର୍ ବିଶାଲ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର