କଟକ: ପୂର୍ବରୁ ରାତିରେ ବାଲି ଚୋରି ହେଉଥିଲା। କିନ୍ତୁ ଏବେ ସ୍ପଷ୍ଟ ଦିବାଲୋକରେ ଚାଲିଛି ଚୋରା କାରବାର। ବାରଙ୍ଗ ଦେଓକାଳି ମୌଜାରେ ଏଭଳି ବେଆଇନ ବାଲି ଉଠାଣ ପ୍ରତ୍ୟେକ ଦିନ ଜାରି ରହୁଛି। ଏପରିକି ବାଲି ଚୋରି କରିବା ପାଇଁ ଗୋଚର ଜମିରେ ମୋରମ, ମାଟି ପକାଇ ନୂଆ ରାସ୍ତା ତିଆରି କରିଦେଇଛନ୍ତି ବାଲିମାଫିଆ। ନିକଟସ୍ଥ ଉସୁମା, ଶଙ୍ଖତ୍ରାସ, ସୁମାଣ୍ଡି, ଖଣ୍ଡେଏତା ଗ୍ରାମର କିଛି ବ୍ୟକ୍ତି ଏକାଠି ହୋଇ ସ୍ଥାନୀୟ ସିଢ଼ୁଆ ନଦୀରୁ ବାଲି ଚୋରା ଚାଲାଣ କରୁଛନ୍ତି। ସ୍ଥାନୀୟ ପୁଲିସ, ତହସିଲ ଓ ଖଣି ଅଧିକାରୀ ଏ ବିଷୟରେ ଜାଣିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଗ୍ରାମବାସୀ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ଆର୍ଡିସି, ଜିଲ୍ଲାପାଳ, ଖଣି ଅଧିକାରୀଙ୍କୁ ଅଭିଯୋଗ କରିସାରିଲେଣି। ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଚୋରାଚାଲାଣ ପାଇଁ ନୂଆ ଗଳା ବାଟ
ଘାଟରାସ୍ତାରେ ଜଗି ରହୁଛନ୍ତି ଦୁର୍ବୃତ୍ତ
ଖଣି ଅଧିକାରୀଙ୍କୁ ଘାରୁଛି ଆକ୍ରମଣ ଭୟ
ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
ଅଭିଯୋଗ ଅନୁସାରେ, ଦେଓକାଳି ମୌଜା ଅନ୍ତର୍ଗତ ୩୪୦ ନମ୍ବର ଗୋଚର ଜମି ପ୍ଲଟ୍ ଦେଇ ଏହି ନୂଆ ରାସ୍ତା ନିର୍ମାଣ ଚାଲିଛି। ମାଫିଆମାନେ ଜେସିବି ଓ ଟ୍ରାକ୍ଟର ଲଗାଇ ମୋରମ୍ ଓ ମାଟି ଆଣି ରାସ୍ତା କରିବାରେ ଲାଗିପଡ଼ିଛନ୍ତି। ସେହିପରି ଗୋଚର ଜମି ପ୍ଲଟ୍ ନମ୍ବର ୩୩୦ ଓ ୩୪୪କୁ ମାଫିଆମାନେ କବ୍ଜା କରି ସେଠାରୁ ପାଖାପାଖି ୧୫ଫୁଟ ଗଭୀର ଗାତ ଖୋଳି ମାଟି ଚାଲାଣ କରାଗଲାଣି। ଜେସିବିଗୁଡ଼ିକ ପଟ୍ଟାମୁଣ୍ଡାଇ କେନାଲ୍ ଉପରେ ଯାଇଥିବା ଦୁର୍ବଳ ପୋଲ ଉପରେ ନିୟମିତ ଭାବରେ ଯାତାୟାତ କରୁଥିବାରୁ ଏଥିପ୍ରତି ମଧ୍ୟ ବିପଦ ସୃଷ୍ଟି ହେଲାଣି। ସ୍ଥାନୀୟ ଲୋକମାନେ ଗାଈଗୋରୁ ଚରାଇବାକୁ ବି ଯାଉ ନାହାନ୍ତି। କେହି ପ୍ରତିବାଦ କଲେ ହତ୍ୟା ଧମକ ମଧ୍ୟ ମିଳୁଛି। ଏହି ବେଆଇନ ରାସ୍ତା ସ୍ଥାନୀୟ କଟକ ସଦର ଥାନାରୁ ମାତ୍ର ୧୨ କିଲୋମିଟର ଦୂର ହୋଇଥିଲା ବେଳେ ସବୁ ଜାଣି ବି ପୁଲିସ ଚୁପ୍ ରହୁଛି। ଏପରିକି ପୁଲିସ ବାଲିମାଫିଆମାନଙ୍କୁ ଆଗୁଆ ସୂଚନା ଦେଇ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଏଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଖଣି ଅଧିକାରୀ ସମ୍ବିତ ସାହୁ କହିଛନ୍ତି, ଅଭିଯୋଗ ମିଳିବା ପରେ ଏକ ଟିମ୍ ତଦନ୍ତ କରି ରିପୋର୍ଟ ଦେଇଛି। ସଂପୃକ୍ତ ଅଞ୍ଚଳର ଫଟୋ ଓ ଭିଡିଓ ସଂଗ୍ରହ କରାଯାଇଛି। ରିପୋର୍ଟ ଆଧାରରେ ପୁଲିସ ଓ ତହସିଲଦାରଙ୍କୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ଚିଠି କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏଠାରେ ଥିବା ବାଲିଘାଟର ନିଲାମ ଅବଧି ଶେଷ ହୋଇଯାଇଛି। ତଥାପି ବେଆଇନ ଭାବେ ଉତ୍ତୋଳନ ହେଉଥିବା ଅଭିଯୋଗ ମିଳିଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ବୟାଳିଶମୌଜା ଅଞ୍ଚଳରେ ପ୍ରାୟ ୮ଟି ସ୍ଥାନରେ ଏପରି ବେଆଇନ ରାସ୍ତା ନିର୍ମାଣ କରାଯାଇ ବାଲି ଉଠାଯାଉଛି। କିନ୍ତୁ ସେଠାରେ ପାଖାପାଖି ୪୦ଜଣ ଅପରାଧୀ ଶ୍ରେଣୀର ବ୍ୟକ୍ତି ଜଗି ରହୁଥିବାରୁ ସବୁବେଳେ ଜୀବନପ୍ରତି ଭୟ ରହୁଛି। ତେଣୁ ଆମେ କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହୁଁ। ଏ ସଂପର୍କରେ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିବା ଶ୍ରୀ ସାହୁ କହିଛନ୍ତି।