ରାଉରକେଲା: ରବିବାର ଦିନ ୨୧ ନମ୍ବର ଛକରେ ବସ୍ତିବାସିନ୍ଦା ଏବଂ ଇସ୍ପାତ କଲେଜର ଛାତ୍ରମାନେ ରାସ୍ତାରୋକ ଚଳାଇଥିବାବେଳେ ପୁଲିସ ଓ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋପବନ୍ଧୁପାଲି ଥାନାର ଭାରପ୍ରାପ୍ତ ଅଧିକାରୀ ଆହତ ହୋଇଛନ୍ତି।
ଶନିବାର ଦିନ ୨୧ ନମ୍ବର ଛକରେ ଏକ କାର୍ ଦୁର୍ଘଟଣାରେ ଇସ୍ପାତ କଲେଜର ଛାତ୍ର ମନୀଷ ପ୍ରସାଦଙ୍କର ମୃତ୍ୟୁ ଘଟିଥିଲା। ସେହି ଦୁର୍ଘଟନାରେ ଆହତ ହୋଇଥିବା ବାସନ୍ତୀ କଲୋନିବାସୀ ପୀତବାସ ପାଢ଼ୀଙ୍କର ମଧ୍ୟ ପରେ ଦେହାନ୍ତ ହୋଇଯାଇଥିଲା। ଦୁର୍ଘଟଣା ଘଟାଇଥିବା କାର୍ବାଲାକୁ ଗିରଫ କରିବା ଏବଂ ଦୁଇ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇବା ଦାବି ଉପସ୍ଥାପନ କରିବାକୁ ବସ୍ତିବାସୀ ଓ ଇସ୍ପାତ କଲେଜର ବିଦ୍ୟାର୍ଥୀମାନେ ପ୍ଲାଣ୍ଟ୍ସାଇଟ୍ ଆଜି ସକାଳ ୧୦ଟାବେଳେ ଥାନାକୁ ଯାଇଥିଲେ। କିନ୍ତୁ, ସେଠାରେ ଅଧିକାରୀମାନେ ସେମାନଙ୍କ କଥା ନ ବୁଝିବାରୁ ସେମାନେ ୨୧ ନମ୍ବର ଛକରେ ରାସ୍ତା ଅବରୋଧ କରିଥିଲେ। ଉପୁଜି ଥିବା ଟ୍ରାଫିକ୍ ସମସ୍ୟା ପାଇଁ ଅବରୋଧ ହଟାଇବାକୁ ଗୋପବନ୍ଧୁପାଲି ଏବଂ ପ୍ଲାଣ୍ଟ୍ ସାଇଟ୍ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ।
ଅବରୋଧକାରୀ ଏବଂ ପୁଲିସ ମଧ୍ୟରେ ବଚସାରୁ ଧସ୍ତାଧସ୍ତି ହେବାରୁ ପୁଲିସ ଲାଠିଚାଳନା କରି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟାକରିଥିଲା। ଏଥିରେ ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ।
ଏଥିରେ ସାଦା ପୋଷାକରେ ସେଠାକୁ ଯାଇଥିବା ଗୋପବନ୍ଧୁପାଲି ଥାନାର ଭାରପ୍ରାପ୍ତ ଅଧିକାରୀ ଗରୁତର ଆହତ ହୋଇଛନ୍ତି। ତାଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।
ଦୁର୍ଘଟଣା ଘଟାଇଥିବା ଗାଡ଼ିବାଲା ଏବଂ ପୁଲିସ ଅଧିକାରୀଙ୍କୁ ଆହତ କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sec-21.jpg)