ଠାକୁରଙ୍କ ଜମିରେ ୩ ମହଲା ପୁଲିସ କ୍ୱାର୍ଟର୍ସ! ଜବରଦଖଲ ଉଚ୍ଛେଦ ବାଟରେ କଣ୍ଟା ସାଜିଛି ପ୍ରଶାସନ

ଗରିବଙ୍କ ଉପରେ ହାକିମାତି, ପ୍ରଭାବଶାଳୀଙ୍କୁ ଅନୁକମ୍ପା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି। ହେଲେ ଉପାସରେ ରହୁଛନ୍ତି ଠାକୁର। ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌ ଭାବେ ହୋଇପାରୁନି। ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି ୪୪ ହଜାର ୫୦୦ ଏକର ଜମି ଜବରଦଖଲରେ ଅଛି। ମଝିରେ ମଝିରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ଚେଇଁ ଉଠୁଛି। ଉଚ୍ଛେଦ ପାଇଁ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଏହାକୁ ରୋକି ଦିଆଯାଉଛି। ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେବା ପଛ‌ରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି। ଏ ସଂପର୍କରେ ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି। ବାରିପଦାରେ ଦେବୋତ୍ତର ଜମି ଉପ‌ରେ ଠିଆ ହୋଇଛି ୩ ମହଲା ପୁଲିସ କ୍ବାର୍ଟର୍ସ। ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇ ଏହି କୋ‌ଠା ନିର୍ମାଣ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିବାକୁ ଚାହୁଁନାହିଁ। ଏହି କୋଠା ଭଙ୍ଗାଗଲେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପାଖରେ ଉତ୍ତରଦାୟୀ ହେବାକୁ ପଡ଼ିବ। ତେଣୁ ପ୍ରଶାସନ ଉଚ୍ଛେଦ ବାଟରେ ନିଜେ କଣ୍ଟା ସାଜିଥିବା କୁହାଯାଉଛି।

ସୂଚନା ଅନୁଯାୟୀ; ବାରିପଦା ଅମ୍ବିକା ମନ୍ଦିରଠାରୁ ମାତ୍ର ୩ ଶହ ମିଟର ଦୂରରେ ଏହି ପୁଲିସ କ୍ବାର୍ଟର୍ସ ତିଆରି ହୋଇଛି। ତେବେ ଦେବୋତ୍ତର ଜମିରେ ଏହି କୋଠା ନିର୍ମାଣ ପାଇଁ କିଏ ପ୍ରସ୍ତାବ ଦେଇଥିଲା ଓ ଏଥିପାଇଁ କାହାର ଅନୁମତି ନିଆଯାଇଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ପକ୍ଷରୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ବି ହୋଇଛି। ତଥାପି ଏ ମାମଲାରେ ସମସ୍ତେ ନିରୁତ୍ତର। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ଲୋଡ଼ା ଯାଇଥିଲେ ବି ସେ ଫୋନ୍‌ ଗ୍ରହଣ କରିନଥିଲେ।

ପ୍ରଶାସନର ତଥାକଥିତ ଏହି ବେଆଇନ କାର୍ଯ୍ୟ ଜବରଦଖଲକାରୀଙ୍କୁ ପ୍ରୋତ୍ସାହିତ କରୁଛି। ଫଳରେ ଠାକୁରଙ୍କ ଜମି ଦଖଲକୁ ନେଇ କିଏ ଘର କରି ରହୁଛି, ତ ଆଉ କିଏ ‌ହୋଟେଲ, ଦୋକାନ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ କରି ‌ମୋଟା ଅଙ୍କର ଅର୍ଥ ରୋଜଗାର କରୁଛି। ଏପଟେ ଠାକୁରଙ୍କ ଜମିରେ ଝାଟିମାଟି ଘର କରି ରହୁଥିବା ଗରିବ ଲୋକଙ୍କୁ ଉଠିଯିବା ପାଇଁ ଜୁଲମ୍ କରୁଛି ପ୍ରଶାସନ। ମେ ୧୮ ତାରିଖରେ ବେତନଟୀ, ରାସଗୋବିନ୍ଦପୁର, ମୋରଡ଼ା ଓ ବାରିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ସ୍ଥାନରୁ ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ହୋଇଥିଲା। ହେଲେ ହଠାତ୍‌ କ’ଣ ‌ହେଲା କେଜାଣି, ଶେଷ ମୁହୂର୍ତ୍ତରେ ଉଚ୍ଛେଦ ପ୍ରକ୍ରିୟାକୁ ୭ ଦିନ ଯାଏ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲାପାଳ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସେବାୟତମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ଜବରଦଖଲକାରୀ ନିଜେ ଜାଗା ଖାଲି ନକଲେ ୨୫ ତାରିଖରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ପ୍ରଶାସନର ଏହି ମହଲତ ଯୋଗୁଁ ଅନେକ ଏହାମଧ୍ୟରେ କୋର୍ଟରୁ ରହିତାଦେଶ ଆଣି ସାରିଲେଣି। ତେଣୁ ପ୍ରଶାସନ ନିଜ ଦୋଷ ଢାଙ୍କିବା ପାଇଁ ସେମାନଙ୍କୁ ସମୟ ଦେଇଥିଲା ବୋଲି ଯେଉଁ ଅଭିଯୋଗ ହୋଇଛି, ସେଥିରେ ସତ୍ୟତା ଥିବା ବୁଦ୍ଧିଜୀବୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର