ଆରୁହା ପାହାଡ଼ରେ ଚଢ଼ଉ: ଦିନରେ ଚଢ଼ଉ, ସନ୍ଧ୍ୟାରେ ମାଫିଆଙ୍କ ବିସ୍ଫୋରଣ

୧୧ଗାଡ଼ି, ହିଟାଚି ମେସିନ୍ ଜବତ: ୧୧ଜଣ ଅଟକ
୩ଏକର ଲିଜ୍, ୧୫୦ ଏକର ମାଫିଆଙ୍କ କବଜାରେ

ଯାଜପୁର/ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ ଏକ ପ୍ରକାରେ ମାଫିଆଙ୍କ କବଜାରେ। ମାତ୍ର ୩ଏକର ଲିଜ୍ ଯାଇଥିବା ବେଳେ ଅବଶିଷ୍ଟ ପାହାଡ଼ ମାଫିଆମାନେ ଖୋଳିତାଡ଼ି ଚାଲିଛନ୍ତି। ଏପରିକି ଆରୁହା ପାହାଡ଼ ଟେଣ୍ଡର ହେବାକୁ ମଧ୍ୟ ମାଫିଆମାନେ ଦେଉନାହାନ୍ତି। ଶନିବାର ସକାଳେ ପୁଲିସ୍‌ ପକ୍ଷରୁ ମିଳିତ ଚଢ଼ଉ ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକଙ୍କ ନେତୃତ୍ବରେ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଜାରକା ବିଟ୍ ହାଉସ୍‌ ପୁଲିସ୍‌ ଅଧିକାରୀ ରାଜକିଶୋର ନାୟକ ପ୍ରମୁଖ ସଦଳବଳ ଭୋର ସମୟରେ ଅଚାନକ ଆରୁହା ପାହାଡ଼ ଉପରେ ଚଢ଼ଉ କରିଥିଲେ। ଚୋରା ଖାଦାନରୁ ବେଆଇନ ଭାବେ କଳାପଥର ଚୋରା ଚାଲାଣ କରୁଥିବା ଏକ ହିଟାଚି ମେସିନ୍, ୯ଟି ଟ୍ରକ୍ ଓ ୨ଟି ଟ୍ରାକ୍ଟରକୁ ପୁଲିସ ଜବତ କରିଛି। ଏହି ଚୋରା ଖାଦାନରେ କାର୍ଯ୍ୟରତ ୧୧ଜଣ ଶ୍ରମିକ ଓ ଗାଡ଼ିଚାଳକଙ୍କୁ ପୁଲିସ ଅଟକ ରଖିଛି। ତେବେ ପୁଲିସ୍‌କୁ ଚକ୍‌ମା ଦେଖାଇ ଅନ୍ୟ କେତେକ ଶ୍ରମିକ, ଟ୍ରକ ଡ୍ରାଇଭର ଓ ପଥର ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ଜବତ ଗାଡିଗୁଡିକୁ ପୁଲିସ ଧର୍ମଶାଳା ତହସିଲକୁ ଜିମା ଦେଇଛି। ପୁଲିସ୍‌ ଅଧିକାରୀ ଚଢ଼ଉ ଶେଷ କରି ଫେରିବାର କିଛି ସମୟ ପରେ ପୁଣି ବେଆଇନ୍ ଖାଦାନ କାରବାର ଆରମ୍ଭ ହୋଇଯାଇଛି। ଏପରିକି ସଂଧ୍ୟା ସମୟରେ ମାଫିଆମାନେ ଜାବରା ପାର୍ଶ୍ବରେ ଡିନାମାଇଟ୍ ଲଗାଇ ପାହାଡ଼ ଫଟାଇଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୁଲିସକୁ ମାଫିଆଙ୍କର ଖୋଲା ଚ୍ୟାଲେଞ୍ଚକୁ ଜିଲ୍ଲା ପ୍ରଶାସନ କିପରି ଗୁରୁତ୍ବ ଦେଉଛି ତା ଉପରେ ସମସ୍ତଙ୍କର ନଜର।

ସୂଚନା ଯୋଗ୍ୟ ୧୫୩ ଏକର ପରିମିତ ଆରୁହା ପାହାଡରୁ ମାତ୍ର ୩ଏକର କଳାପଥର ଖାଦାନକୁ ତ୍ରିନାଥ ଜେନାଙ୍କୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦିଆଯାଇଛି। ହେଲେ ଲିଜ୍ ଅଞ୍ଚଳ ବ୍ୟତୀତ ଅବଶିଷ୍ଟ ୧୫୦ଏକର ପାହାଡକୁ ମାଫିଆମାନେ ଖୋଳିତାଡ଼ି ପ୍ରତ୍ୟହ ଶହ ଶହ ଟ୍ରିପ୍ କଳାପଥର ଚୋରାଚାଲାଣ କରୁଛନ୍ତି। ସେହିପରି ପାହାଡ଼କୁ ଲାଗି ରହିଥିବା ୩ଟି ରାସ୍ତାରେ ଫାଟକ କରି କଳାପଥର ଚୋରା ଚାଲାଣ କରୁଥିବା ଟ୍ରକ୍, ହାଇୱା ଓ ଟ୍ରାକ୍ଟର ଆଦିରୁ ରୟାଲିଟି ଆଳରେ ବଟି ଆଦାୟ କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଗତକାଲି ଧର୍ମଶାଳା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁରରୋଡ଼ ଏସଡିପିଓ ଶ୍ରୀ ନାୟକଙ୍କ ନେତୃତ୍ବରେ ପୁଲିସ୍‌ ଟିମ୍ ଆଜି ଭୋର ସମୟରେ ଅତର୍କିତ ଚଢ଼ଉ କରିଥିଲା।

ଏଠାରେ ବାରମ୍ବାର ଚଢ଼ଉ କରାଯାଇ ବହୁ ଗାଡି ଓ ମେସିନ୍ ଆଦି ଜବତ କରାଯାଉଥିଲେ ମଧ୍ୟ ମାଫିଆଙ୍କ ନିକଟରେ ପହଞ୍ଚୁ ନାହାନ୍ତି। ଜରିମାନା ବାବଦକୁ ଟଙ୍କା କିଛି ଆଦାୟ କରାଯାଇ ଜବତ ଗାଡିଗୁଡିକୁ ଛାଡି ଦିଆଯାଉଛି। ପ୍ରତି ଦିନ ଲକ୍ଷ ଲକ୍ଷ ଟଙ୍କାର କଳାପଥର ଚୋରାରେ ବିକ୍ରି କରୁଥିବା ମାଫିଆଙ୍କ ପାଇଁ ଏହି ଜରିମାନା ବେଆଇନ୍ କାରବାରକୁ ଏକ ପ୍ରକାର ନବୀକରଣ କରିଦେଉଛି। ଆରୁହା ପାହାଡ଼ରେ ବେଆଇନ କାରବାରକୁ ରୋକିବା ପାଇଁ ପ୍ରଶାସନର ଆନ୍ତରିକତା ଉପରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପାହାଡରେ ଆଉ ୩ଟି କଳାପଥର ଖାଦାନ ପାଇଁ ଚଳିତବର୍ଷ ତହସିଲ ପକ୍ଷରୁ ନିଲାମ୍ ଆହ୍ବାନ କରାଯାଇଥିଲା। ହେଲେ ଏସବୁ ସୈରାତ୍ ନିଲାମ୍ ପାଇଁ କୌଣସି ବ୍ୟକ୍ତି ଆବେଦନ କଲେ ନାହିଁ। ତହସିଲ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଅର୍ଥରାଶି ମାତ୍ରାଧିକ ବୋଲି ଆଳ କରି କେହି ନିଲାମ୍ ନେଲେ ନାହିଁ। ଏଥିରେ ମଧ୍ୟ ପଥର ମାଫିଆମାନଙ୍କର ଷଡ଼ଯନ୍ତ୍ର ଜଳଜଳ ଦେଖା ଦେଇଛି। ଯୋଜନାବଦ୍ଧ ଭାବେ ମିଳିମିଶି ଲୁଟିବା ପାଇଁ କେହି ନିଲାମ୍ ଡାକିନଥିବା ଚର୍ଚ୍ଚା ହେଉଛି। ଯାହକି ଆଜିର ଏହି ଚଢଉ ପରେ ସ୍ପଷ୍ଟ ହୋଇଯାଇଛି।

ରାହାଡ଼ପୁର ହେଉ କି ଆରୁହା ପାହାଡ଼ ଚଢ଼ଉ ଘଟଣାରେ ମାଫିଆଙ୍କ ନିକଟରେ ପୁଲିସ ନପହଞ୍ଚି କେବଳ ଶ୍ରମିକମାନଙ୍କୁ ଗିରଫ କରି ମେସିନ ଜବତ କରି ଜରିମାନାରେ ଛାଡ଼ି ଦେଉଛି। ମାଫିଆଙ୍କ ସମ୍ପର୍କରେ ପୁଲିସ ନିକଟରେ‌ ଠୋସ ପ୍ରମାଣ ଥାଇ ମଧ୍ୟ ସେମାନଙ୍କୁ ଗିରଫ କରୁନାହିଁ। ଯାହାକି ଏହି ଅଞ୍ଚଳରେ ଅରାଜକତା ଓ ମାଫିଆରାଜ ଚାଲିବା ସହିତ କୋଟି କୋଟି ଟଙ୍କାର ରାଜସ୍ବ ପ୍ରତିଦିନ ଲୁଟ ହେଉଛି। ପୁଲିସ ଓ ତହସିଲର ଜରିମାନା ସେମାନଙ୍କର ‌ଗୋଟିଏ ରାତିର ଲୁଟ୍ ଆୟ ଠାରୁ ମଧ୍ୟ କମ୍ । ଚଢ଼ଉ ଏକ ପ୍ରହସନ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି। ଜିଲ୍ଲା ଟାସ୍କଫୋର୍ସ ମିଳିତ ଭାବେ ଚଢଉ କରି ଆଇନଗତ ଦୃଷ୍ଟିରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ଆଗପଛ ହେଉଛି? ଏପରିକି ଭିଜିଲାନ୍ସ, ଖଣି, ପ୍ରଦୂଷଣ, ଜଙ୍ଗଲ, ପରିବହନ ବିଭାଗର ନିରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର