ଫିଟୁଛି ବାରିପଦା ଆଇଟିଡିଏ ଭିତିରି ଗୁମର : ଠିକାଦାର ଜାଣିନାହାନ୍ତି ଟଙ୍କା ଗାୟବ, ଜାଲ୍ ଦସ୍ତଖତ କରି ଲୁଟିନେଲେ ସାଢ଼େ ୪ଲକ୍ଷ

ଜେଇ’ଙ୍କ ନାମରେ ଥାନାରେ ମାମଲା, ଆଇଟିଡିଏ କାର୍ଯ୍ୟାଳୟରେ ପୁଲିସ୍
ପିଏ’ଙ୍କ ନୀରବତା ସନ୍ଦେହଘେରରେ

ବାରିପଦା : ଫିଟୁଛି ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ଦୁର୍ନୀତିର ପେଡ଼ି। ଠିକାଦାର ଜାଣିନାହାନ୍ତି ଉଠିଗଲା ଟଙ୍କା। ଠିକାଦାରଙ୍କ ଜାଲ୍ ଦସ୍ତଖତ କରି ତାଙ୍କ ନାମରେ ଉଠେଇ ନେଲେ ସାଢ଼େ ୪ ଲକ୍ଷ ଟଙ୍କା । ଜାଲ୍‌ରେ ଟଙ୍କା ଉଠାଇଥିବା ଅଧିକାରୀ ଆଉ କେହି ନୁହେଁ ଖୋଦ୍ ବାରିପଦା ଆଇଟିଡିଏ କାର୍ଯ୍ୟାଳୟର ଜେଇ ସନ୍ତୋଷ କୁମାର ଦାସ। ଏନେଇ ଠିକାଦାର ତପନ କୁମାର ହାବଡ଼ା ବାରିପଦା ଟାଉନ୍ ଥାନାରେ ସଂପୃକ୍ତ ଜେଇ ଶ୍ରୀ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଠିକାଦାର ଶ୍ରୀ ହାବଡ଼ାଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ୍ ଥାନା ପୁଲିସ୍ ଆଇଆଇସି ବୀରେନ୍ଦ୍ର ସେନାପତି ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଏହି ଘଟଣାରେ ପୁଳାପୁଳା ଦୁର୍ନୀତି ହୋଇଥିବା ସଂପୃକ୍ତ ଠିକାଦାର ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ବାରିପଦା ଆଇଟିଡିଏ ପକ୍ଷରୁ ଏକ ଶହେ ଶଯ୍ୟାବିଶିଷ୍ଟ ଜନଜାତି ବାଳିକା ହଷ୍ଟେଲ୍ ନିର୍ମାଣ କରାଯାଇଥିଲା। କାର୍ଯ୍ୟାଦେଶ ନଂ-୫୫୧୩/୯.୧୨.୨୦୧୩ ଅନୁସାରେ ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରାୟ ୧କୋଟି ୨୦ଲକ୍ଷରୁ ଊର୍ଧ୍ବ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏହି ହଷ୍ଟେଲ୍ ନିର୍ମାଣ ସମାପ୍ତ ସହିତ ବିଭିନ୍ନ ବିଭାଗରୁ କାର୍ଯ୍ୟ ସମ୍ପାଦନର ଅର୍ଥ ପାଇଥିବା ଠିକାଦାର ପ୍ରକାଶ କରିଛନ୍ତି। ମାତ୍ର ଗତଦୁଇ ବର୍ଷ ହେବ ସେ ପୂରଣ କରିଥିବା କାମର ଆହୁରି ଅନେକ ପ୍ରାପ୍ୟ ପାଇନଥିଲେ। ଏନେଇ ସେ ଅନେକଥର ପ୍ରକଳ୍ପ ପ୍ରଶାସକ(ପିଏ) ଆଇଟିଡିଏଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟହୋଇ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ନିମନ୍ତେ ବର୍ତ୍ତମାନର ପିଏ ବସନ୍ତ କୁମାର ସେଠୀ ତାଙ୍କୁ ଆଇଟିଡିଏ କାର୍ଯ୍ୟାଳୟକୁ ଡାକିଥିଲେ। ମାତ୍ର ସେଠାରେ ପହଞ୍ଚି ବିଭିନ୍ନ ବିଲ୍ ଭାଉଚର୍ ଚେକ୍ କରିବାରୁ ସେ ପାଇବାକୁ ଥିବା ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଆଇଟିଡିଏ କାର୍ଯ୍ୟାଳୟର ଜେଇ ସନ୍ତୋଷ କୁମାର ଦାସ ଉଠାଇନେଇଛନ୍ତି। ତାଙ୍କ ଜାଲ୍ ଦସ୍ତଖତ କରି ଶ୍ରୀ ଦାସ ଟଙ୍କା ଉଠାଇନେଇଥିବାବେଳେ ତାଙ୍କୁ ଏସମ୍ପର୍କରେ କୌଣସି ସୂଚନା ମଧ୍ୟ ଦିଆଯାଇନଥିବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ ବୋଲି ଠିକାଦାର ଶ୍ରୀ ହାବଡ଼ା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ କେବଳ ଏତିକି ଟଙ୍କା ନୁହେଁ ଆହୁରି ଲକ୍ଷାଧିକ ଟଙ୍କା ଉକ୍ତ ଜେଇ ଆତ୍ମସାତ କରିଥିବା ଶ୍ରୀ ହାବଡ଼ା ଅଭିଯୋଗ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାସହିତ ଜାଲି ଦସ୍ତଖତ କରି ଅନୈତିକ ଉପାୟରେ ସରକାରୀ ଅର୍ଥ ହଡ଼ପ କରିଥିବା ଉକ୍ତ ଜେଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହାବଡ଼ା ଦାବି କରିଛନ୍ତି। ଏପରିକି ଏହି ଘଟଣାରେ ସମସ୍ତ କାଗଜପତ୍ରକୁ ନଷ୍ଟ କରିଦେବାର ଚକ୍ରାନ୍ତ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ପୁଲିସ୍ ଏବଂ ପ୍ରଶାସନ ଗୁରୁତର ସହିତ ନେବାକୁ ଶ୍ରୀ ହାବଡ଼ା ଦାବି କରିଛନ୍ତି।

ତେବେ ଏହି ଘଟଣାରେ ମୁହଁ ଖୋଲିନାହାନ୍ତି ବାରିପଦା ଆଇଟିଡିଏ ପିଏ ବସନ୍ତ କୁମାର ସେଠୀ। ସେ ଏହି ଘଟଣା ସମ୍ପର୍କରେ କୌଣସି ମତ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି ବୋଲି କହି ଏଡ଼ାଇଯାଇଛନ୍ତି। ମାତ୍ର ଏପରି ଏକ ସ୍ପର୍ଶକାତର ଘଟଣାରେ ପିଏ ଶ୍ରୀ ସେଠୀଙ୍କ ନିରବତା ଘଟଣାକୁ ଆହୁରି ସନ୍ଦେହ ମଧ୍ୟକୁ ଟାଣିନେଉଥିବା ଅଭିଯୋଗ ହୋଇଛି। ସେହିପରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ଶ୍ରୀ ଦାସ ଏହାକୁ ଖଣ୍ଡନ କରିଛନ୍ତି। ସେ ଏପରି କିଛି କରିନାହାନ୍ତି। ଉକ୍ତ ଠିକାଦାରଜଣଙ୍କ କାମ ସମାପ୍ତ ପରେ ସମସ୍ତ ଅର୍ଥ ପାଇସାରିଛନ୍ତି। ସେ କୌଣସି ଜାଲ୍ ଦସ୍ତଖତ କରିନାହାନ୍ତି ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି। ଏହି ଘଟଣାରେ ପୁଲିସ୍ ପକ୍ଷରୁ ସଂପୃକ୍ତ ଜେଇ ଶ୍ରୀ ଦାସଙ୍କୁ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଆଇଟିଡିଏ ପିଏ ପୁଲିସ୍‌କୁ ଉକ୍ତ କାଗଜପତ୍ର ପ୍ରଦାନ କଲେ ପୁଲିସ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ। ତେବେ ଠିକାଦାରଙ୍କ ଅଭିଯୋଗକ୍ରମେ ଥାନାରେ ୪୧୯/୪୨୦/୪୬୮ ଦଫାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ତେବେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ପୁଳାପୁଳା ଦୁର୍ନୀତି ଖୁନ୍ଦି ହୋଇରହିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ଏହିପରି ଭାବେ ଅନେକ ଦୁର୍ନୀତିର ଅଭିଯୋଗ ଲମ୍ବା ଫର୍ଦ୍ଦ ରହିଛି। କେଉଁଠି କାମ ନହୋଇ ବିଲ୍ ହୋଇଛି ତ’ ଆଉ କେଉଁଠି ସରକାରୀ ଅର୍ଥକୁ ଅପବ୍ୟୟ କରାଯାଇଛି। ତେଣୁ ଏହି କାର୍ଯ୍ୟାଳୟକୁ ଦୁର୍ନୀତିମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର