ବିଜେପି ନେତାଙ୍କ ଘରେ ପୁଲିସ୍‌ ଚଢ଼ଉ

ରିମାଣ୍ଡରେ ଆସିବେ ବାପ-ପୁଅ

ବରଗଡ଼/ପଦ୍ମପୁର : ପଦ୍ମପୁର ପୁଲିସ୍‌ ମହୁଲପାଲି ଛକରୁ ଜବତ ୪୦ ଲକ୍ଷ ଟଙ୍କା ଜବତ ହେବା ଏବଂ ଟଙ୍କାତକ ବିଜେପିର ବୋଲି ପୁଲିସ୍‌ କହିବା ପରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ମୀନାକ୍ଷି ଜ୍ୱେଲେରି ମାଲିକ ଆକାଶ ଅଗ୍ରଓ୍ଵାଲ ଏବଂ ପିତା ଓମ୍‌ ପ୍ରକାଶ ଅଗ୍ରଓ୍ଵାଲାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ପ୍ରସ୍ତୁତି ଚାଲିଛି। ସୋମବାର ଆୟକର ବିଭାଗର ଏକ ଟିମ୍‌ ପଦ୍ମପୁର ଆସି ଘଟଣାର ତଦନ୍ତ ଚଳାଇଛନ୍ତି। ଟଙ୍କା କାହା ମାଧ୍ୟମରେ ଏବଂ କେଉଁ ସ୍ଥାନକୁ ଯାଉଥିଲା, ତା’ର ତଦନ୍ତ କରିବା ପାଇଁ ପୁଲିସ୍‌ ଏବଂ ଆୟକର ଟିମ୍‌ ବାପ-ପୁଅଙ୍କୁ ତିନି ଦିନ ରିମାଣ୍ଡରେ ନେବା ପାଇଁ ପଦ୍ମପୁର ଏସ୍‌ଡିଏମ୍‌ଓଙ୍କ ପାଖରେ ଆବେଦନ କରିଥିଲେ। ହେଲେ ୨ ଦିନ ରିମାଣ୍ଡ ପାଇଁ ଅନୁମତି ମିଳିଥିବା ଥାନା ଅଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ ସୂଚନା ଦେଇଛନ୍ତି। ଆୟକର ବିଭାଗର ସହକାରୀ ନିର୍ଦ୍ଦେଶକ ଜନ୍‌ କିସ୍‌କୋ ମିଞ୍ଜଙ୍କ ନେତୃତ୍ୱରେ ପ୍ରସନ୍ନ ବାଦୀ, ନିରଂଜନ ବଗର୍ତୀ ପ୍ରମୁଖ ଦୁଇ ଦିନ ଧରି ଅଭିଯୁକ୍ତ ବାପ-ପୁଅଙ୍କୁ ଜେରା କରିବେ।

ଅନ୍ୟପକ୍ଷରେ ଆଜି ବିଜେପିର ବରିଷ୍ଠ ନେତା ଶିରିଶ ବହିଦାରଙ୍କ ପଦ୍ମପୁରସ୍ଥିତ ବାସଭବନରେ ପୁଲିସ୍‌ ଚଢ଼ଉ କରିଛି। ଶ୍ରୀ ବହିଦାର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାରଙ୍କ ପିତା ଅଟନ୍ତି। ଚଢ଼ଉ ବେଳେ କିଛି ନଗଦ ଟଙ୍କା ମିଳିନଥିବା ପୁଲିସ୍‌ କହିଛି। ଦୁଇ ଦିନ ତଳେ ଜାଇଲୋ ଗାଡ଼ିରୁ ସାଢ଼େ ୪୦ ଲକ୍ଷ ମିଳିଥିଲା। ଏହାର ଲିଙ୍କ ଖୋଜିବା ପାଇଁ ପଦ୍ମପୁର ବିଡିଓ (ମାଜିଷ୍ଟ୍ରେଟ ଦାୟିତ୍ୱ) ମଧୁଛନ୍ଦା ସାହୁ, ଡିଏସ୍‌ପି ନଗେନ୍ଦ୍ର ପ୍ରସାଦ ନାୟକ, ଥାନାଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ ଚଢ଼ଉରେ ସାମିଲ ଥିଲେ। ବିଜେପୁର ନିର୍ବାଚନରେ ବିଜେଡି ହାରିବା ନିଶ୍ଚିତ। ତେଣୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍‌ ବିନା ତଥ୍ୟପ୍ରମାଣରେ ଚଢ଼ଉ କରୁଛନ୍ତି।

ସମ୍ବନ୍ଧିତ ଖବର