ବାରିପଦା : ପୂର୍ବତନ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୁଲିସ୍ ଚଢ଼ଉ

ରାସଗୋବିନ୍ଦପୁର ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ
ତହସିଲଦାରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ଜିଲ୍ଲାପରିଷଦ ସଦସ୍ୟା

ବାରିପଦା : କରୋନାରେ ସରଗରମ ହୋଇଛି ବାରିପଦା। ଆଜି ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବାରିପଦାସ୍ଥିତ ବାସଭବନ ଉପରେ ଅଚାନକ ସଶସ୍ତ୍ର ପୁଲିସ୍ ଚଢ଼ଉ କରିଥିଲା। ମୋରଡ଼ାରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିବା ତଥା ଜିଲ୍ଲା ବିଜେପିର ଟାଣୁଆ ନେତା କୃଷ୍ଣଚନ୍ଦ୍ର ଓରଫ୍ ବାବୁଙ୍କ ବିରୋଧରେ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ କୁମାର ମହାପାତ୍ର ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ତାଙ୍କୁ ଗିରଫ କରିବାକୁ ଚଢ଼ଉ ହୋଇଥିବା ଜଣାପଡ଼ିଛି। ତେବେ ପୁଲିସ୍ ଚଢ଼ଉ ପୂର୍ବରୁ ସେ ଖସିଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ତଥାପି ତାଙ୍କୁ ଗିରଫ କରିବାକୁ ଆଜି ରାତି ପର୍ଯ୍ୟନ୍ତ ବିଜେପି ନେତାଙ୍କ ବାସଭବନ ଆଗରେ ସଶସ୍ତ୍ର ପୁଲିସ୍ ମୃତୟନ ଥିବା ଦେଖିବାକୁ ମିଳିଛି।

ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୂଦ୍ରା ନାୟକଙ୍କ କହିବା ଅନୁସାରେ ଚଳିତ ମାସ ୭(ମଙ୍ଗଳବାର) ଦିନ ରାସଗୋବିନ୍ଦପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଶ୍ରୀ ମହାପାତ୍ର ଏବଂ ତାଙ୍କର କିଛି ଦଳୀୟ ସମର୍ଥକ ପ୍ରବେଶ କରି ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ବାନ୍ଧି ପିଟିବା ମାରିବା ଆଦିର ଧମକ ଚମକ ଦେବା, କୋଭିଡ୍-୧୯ ମାଗଦର୍ଶୀକାକୁ ଉଲ୍ଲଙ୍ଘନ କରିବା ଆଦିକୁ ନେଇ ତହସିଲଦାର ପ୍ରଭାତ କୁମାର ମହାପାତ୍ର ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଆଇପିସି ଧାରା ୫୧ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୫୦୬, ୨୯୪, ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ମାମଲା ବଳରେ ଶ୍ରୀ ମହାପାତ୍ରଙ୍କ ଘରକୁ ତଦନ୍ତ ନିମନ୍ତେ ଯାଇଥିବା ରାସଗୋବିନ୍ଦପୁର ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି। ଘର ଭିତରକୁ ପଶିବା ସମୟରୁ ବାହାରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ଟିକିନିଖି ଭିଡିଓ ରେକର୍ଡି କରାଯାଇଥିବା ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୂଦ୍ରା ନାୟକ କହିଛନ୍ତି। ସେହିପରି ତହସିଲଦାର ପ୍ରଭାତ ମହାପାତ୍ରଙ୍କ ବିରୋଧରେ ବିଜେପି ଜିଲ୍ଲାପରିଷଦ ସଦସ୍ୟା ମିନତୀ ପାତ୍ର ରାସଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ୪୭ ନଂ ଜୋନ୍ ସଦସ୍ୟା ଶ୍ରୀମତୀ ପାତ୍ର ତହସିଲଦାରଙ୍କୁ ତହସିଲ ସମ୍ପର୍କରେ କିଛି ତଥ୍ୟ ଆର୍‌ଟିଆଇ ମାଧ୍ୟମରେ ମାଗିବାରୁ ତାଙ୍କୁ ତହସିଲଦାର ଶ୍ରୀ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେହିପରି ତହସିଲଦାର ଆରଟିଆଇ ଫର୍ମକୁ ଚିରି ଶ୍ରୀମତୀ ପାତ୍ରଙ୍କ ମୁହଁକୁ ଫୋପାଡ଼ିଥିବା ଅଭିିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ରାସଗୋବିନ୍ଦପୁର ତହସିଲଦାରଙ୍କୁ ଗିରଫ କରାଯିବାକୁ ଦାବି ହୋଇଛି।

ସେହିପରି ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ଏପରି ଆକ୍ରୋଶମୂଳକ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ବିଜେପି ନିନ୍ଦା କରିଛି। ବିଜେପିର ଜିଲ୍ଲା ପୂର୍ବ ସଙ୍ଗଠନ ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ପୁଲିସ ନିରପେକ୍ଷ ହେବା ବଦଳରେ ଶାସକ ବିଜୁ ଜନତା ଦଳର ହାତବାରିସୀ ହୋଇ କାର୍ଯ୍ୟ କରୁଥିବା ଶ୍ରୀ ସୋରେନ୍ ଅଭିଯୋଗ କରିଛନ୍ତି। ରାସଗୋବିନ୍ଦପୁର ତହସିଲଦାର ବାଲି ମାଫିଆମାନଙ୍କ ସହିତ ମିଶି ଦିନ ରାତି ଲଘୁ ଖଣିଜ ସମ୍ପଦ ଲୁଟ କରୁଥିବା ବିଷୟକୁ ନେଇ ବିଜେପି ବିଭିନ୍ନ ସମୟରେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ରାସଗୋବିନ୍ଦପୁର ତହସିଲଦାରଙ୍କ ସହିତ ଆଲୋଚନା କରିବାକୁ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯାଇଥିଲେ। ଏହି ସମୟରେ ମୁହଁରେ ମାସ୍କ ପିନ୍ଧିବା ସହିତ କରୋନା କଟକଣା ସମ୍ପର୍କିତ ସମସ୍ତ ନିୟମ ପାଳନ କରାଯାଇଥିବା ଶ୍ରୀ ସୋରେନ୍ ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନା ମାର୍ଜିତ ରହିଥିବା ବେଳେ ତହସିଲଦାର ପ୍ରଭାତ ମହାପାତ୍ରଙ୍କ ପକ୍ଷରୁ ଥାନାରେ ସାଂସଦଙ୍କ ଉପସ୍ଥିତି ବିଷୟରେ କୌଣସି ଉଲ୍ଲେଖ ନ ଥାଇ କେବଳ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ଅଭିଯୋଗ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ପକ୍ଷରୁ ଏହାକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବ । ଆନ୍ଦୋଳନ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇ ଆସିବ ବୋଲି ସଭାପତି ଶ୍ରୀ ସୋରେନ କହିଛନ୍ତି । ସେହିପରି ବିନା ସର୍ଚ୍ଚ ୱାରେଣ୍ଟ୍‌ରେ ପୁଲିସ୍ ଘରକୁ ପଶିଥିବା ଶ୍ରୀ ମହାପାତ୍ରଙ୍କ ଭାଇ ଅଜୟ ମହାପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର