ଚୋରା ବାଲିଘାଟରେ ପୁଲିସ୍‌ ଚଢ଼ଉ: ତିନି ଟ୍ରକ୍‌ ଓ ତିନି ଟ୍ରାକ୍ଟର ଜବତ

କାଳିଆପାଣି : ଟମକା ଥାନା ଅନ୍ତର୍ଗତ କୁଶେଇ ନଦୀକୂଳରେ ଗତକାଲି ରାତିରେ ପୁଲିସ୍‌ ଚଢ଼ଉ କରି ଦୁଇଟି ବାଲି ବୋଝେଇ ଟିପ୍ପର, ଗୋଟିଏ ମାଙ୍କଡ଼ା ପଥର ବୋଝେଇ ମିନି ଟ୍ରକ ଓ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ବାଲିଘାଟ ଓ ସଂଲଗ୍ନ ରାସ୍ତାରୁ ଏହି ଗାଡ଼ିଗୁଡ଼ିକ ଜବତ ହୋଇଛି। ଟିପ୍ପର ନମ୍ବର ଓଆର୍‌-୦୯କେ-୨୫୧୫ ଓ ଓଆର୍‌-୦୯ଇ-୫୮୪୫, ମାଙ୍କଡ଼ା ପଥର ବୋଝେଇ ୪୦୭ ମିନିଟ୍ରକ୍‌ ଓଆର୍‌-୦୪ଇ-୦୯୫୧) ଓ ବାଲି ବୋଝେଇ ଟ୍ରାକ୍ଟର ନମ୍ବର (ଓଆର୍‌-୦୪ଜେ-୬୨୩୦, ଓଆର୍‌-୦୯ଏଚ୍‌-୦୪୦୩ ଓ ଓଆର୍‌-୦୪ସି-୦୩୯୨)। ଏହି ଗାଡ଼ିଗୁଡ଼ିକୁ ସୁରକ୍ଷା ଦେବାକୁ ଏକାଧିକ ବାଇକ୍‌ରେ ୬ ଜଣ ଯୁବକ ଯାଉଥିଲେ। ରାତିର ସୁଯୋଗ ନେଇ ସେହି ୬ ଯୁବକ ଓ ସଂପୃକ୍ତ ଡ୍ରାଇଭରମାନେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ପୁଲିସ୍‌ ସମସ୍ତ ଜବତ ଗାଡ଼ିିକୁ ଥାନାକୁ ଆଣିବା ସହ ଦାନଗଦି ତହସିଲଦାରଙ୍କୁ ସୂଚନା ଦେଇଛି। ଥାନା ଅଧିକାରୀ ପାରାଉ ଟୁଡ଼ୁଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି ଚଢ଼ଉରେ ସେକେଣ୍ଡ୍‌ ଅଫିସର ଏସ୍‌ଆଇ ପ୍ରଫୁଲ୍ଲ ଲାକ୍ରା, ହାବିଲଦାର ବିଜୟାନନ୍ଦ ଗଇପାଇ, କନ୍‌ଷ୍ଟେବଲ୍‌ ବାବୁରାମ ହେମ୍ବ୍ରମ, ସନ୍ତୋଷ ବାରିକ, ଦୁର୍ଗା ଚରଣ ମାଝି, ରସିକ ମୁଣ୍ଡା, ଦୀନକୃଷ୍ଣ ମୁଣ୍ଡା ଓ ଡ୍ରାଇଭର ଶେଷଦେବ ମହାନ୍ତ ସାମିଲ ଥିଲେ।

ସମ୍ବନ୍ଧିତ ଖବର