ମାଓ କ୍ୟାମ୍ପ୍‌ରେ ଚଢ଼ଉ: ଦୁର୍ଦାନ୍ତ ନକ୍ସଲ ଜୁଗନୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଁଓ ଜିଲ୍ଲା ପୁଲିସକୁ ମାଓ ଦମନରେ ପୁଣି ମିଳିଛି ସଫଳତା। ଘଞ୍ଚ ଜଙ୍ଗଲରେ ଚାଲିଥିବା ଗୋଟିଏ ନକ୍ସଲ କ୍ୟାମ୍ପକୁ ଧ୍ବଂସ କରି ଦେଇଥିବା ବେଳେ ଜଣେ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଘଟଣାସ୍ଥଳରୁ ବନ୍ଧୁକ, ବିସ୍ଫୋରକ ଏବଂ ଦୈନନ୍ଦିନ ସାମଗ୍ରୀ ମିଳିଛି। ଖସି ଯାଇଥିବା ମାଓବାଦୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଆଇଜି ହିମାଂଶୁ ଗୁପ୍ତା ଏବଂ ଏସପି ଲାଲ ଉମେଦ ସିଂହଙ୍କ କହିବା ଅନୁଯାୟୀ ଗୁଇନ୍ଦା ସୂତ୍ରରୁ ପୁଲିସକୁ ମାଓ କ୍ୟାମ୍ପ ସଂପର୍କରେ ସୂଚନା ମିଳିଥିଲା। ଏହାପରେ କବୀରଧାନ ଏବଂ ରାଜନନ୍ଦଗାଁଓ ଅଞ୍ଚଳରେ କ୍ୟାମ୍ପ କରିଥିବା ସୁରକ୍ଷା କର୍ମୀ ଅପରେସନରେ ବାହାରିଥିଲେ। ତେରଗାଁ ଜଙ୍ଗଲରେ ପଶିବା ପରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଥିଲା। ଯବାନମାନେ ଚାରିପଟୁ କ୍ୟାମ୍ପକୁ ଘେରି ଯାଇଥିଲେ ମଧ୍ୟ ବ୍ୟସ୍ତ ଥିବା ମାଓବାଦୀ ଏନେଇ କୌଣସି ସୁରାକ ପାଇ ନ ଥିଲେ। ସକାଳୁ ସକାଳୁ ଅତର୍କିତ ଭାବେ ଯବାନମାନେ ଆକ୍ରମଣ କରିଥିଲେ। ଏଭଳି ଆକ୍ରମଣର ଟେର୍ ପାଇ ନଥିବା ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। ତଥାପି ଦୀର୍ଘ ସମୟ ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା।

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ସମୟରେ ଜଣେ ମହିଳା ମାଓବାଦୀଙ୍କ ଶବ ମିଳିଥିଲା। ମୃତକ ହେଲେ ଏକ୍ସନ ଟିମ୍ ସଦସ୍ୟା ଜୁଗନୀ। ଏକାଧିକ ଅପରାଧରେ ସଂପୃକ୍ତ ଥିବା ଏହି ଦୁର୍ଦାନ୍ତ ମାଓବାଦୀ ନାମରେ ସରକାର ୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏହା ବ୍ୟତୀତ ୩୧୫ ବୋର ବନ୍ଧୁକ, ବିସ୍ଫୋରକ ସମେତ ନକ୍ସଲଙ୍କ ଦୈନନ୍ଦିନ ସାମଗ୍ରୀ ଘଟଣା ସ୍ଥଳରୁ ଜବତ କରାଯାଇଛି। ଶେଷ ଖବର ସୁଦ୍ଧା କମ୍ବିଂ ଅପରେସନ ଜାରି ରହିଥିଲା।

ସମ୍ବନ୍ଧିତ ଖବର