ଛପା ହେଉଥିଲା ନକଲି ନୋଟ୍, ଚଢ଼ଉ କଲା ପୁଲିସ୍

ସମ୍ବଲପୁର/ଯୁଯୁମୁରା : ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ବଣଜଂଗଲ ଘେରା ଛାମୁଣ୍ଡା ପଞ୍ଚାୟତର ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଲମ୍ବିଥିଲା ଏହି ନକଲି ନୋଟର କାରବାର। ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

ନକଲି ନୋଟ କାରବାର ସଂକ୍ରାନ୍ତରେ ପଚାରିବାରୁ ସମ୍ବଲପୁର ଏସ୍‌ପି ବି.ଗଂଗାଧର କହିଲେ, ଷ୍ଟେଟ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍) କଟକର ଏକ ଟିମ୍ ଆଜି ଯୁଯୁମୁରା ଥାନା ଅଂଚଳରେ ଚଢ଼ଉକରି ଏକ ପ୍ରିଣ୍ଟର ଓ କିଛି ନକଲି ନୋଟ ଜବତ କରିଛନ୍ତି। ଏହି ମାମଲାରେ ଜଣେ ବ୍ୟକ୍ତିକୁ ସେମାନେ ଧରିଥିବା ସେ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କିଛିଦିନ ଆଗରୁ ଏସ୍‌ଟିଏଫ୍ କିଛି ନକଲି ନୋଟ ଜବତ କରିଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ଗତକାଲି ବିଳମ୍ବିତ ରାତ୍ରିରେ ଯୁଯୁମୁରା ବ୍ଲକ ଅଢ଼ାପଡ଼ାର ଏକ ଜନସେବା କେନ୍ଦ୍ର ଉପରେ ଚଢ଼ଉ କରିଥିଲା। ସେଠାରୁ ନକଲି ନୋଟ ସହିତ ପ୍ରିଣ୍ଟର ଜବତ କରିଥିଲା। ଏହି ମାମଲାରେ ପପୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଧରି ନେଇଥିବା ଜଣାପଡ଼ିଛି। ‌ତେବେ, ଏହାର ଲିଙ୍କ୍ ଦେବଗଡ଼ ଜିଲ୍ଲା ସହିତ ବି ରହିଛି। କଟକରୁ ଆସୁଥିବା ଏସ୍‌ଟିଏଫ୍‌ର ଟିମ୍‌ ଆଜି ସନ୍ଧ୍ୟାରେ ପପୁକୁ ଧରି ଦେବଗଡ଼ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ତେବେ, ଅଢ଼ାପଡ଼ା ଭଳି ଅଂଚଳରୁ ନକଲି ନୋଟ ଛପା ହେବା ସାଧାରଣରେ ଆଲୋଡ଼ନ ସୃ‌ଷ୍ଟି କରିଛି।

ସମ୍ବନ୍ଧିତ ଖବର