ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଚମ୍ପାଦେଇପୁରର ଏକ ଫାର୍ମ ହାଉସ୍ରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଫାର୍ମ ହାଉସ୍ରେ କିଛିଦିନ ହେଲା ଜୁଆ ଖେଳ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
ଶୁକ୍ରବାର ଦିନ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ପୁଲିସ ଜୁଆ ଆଡା ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୪ ଜଣ ଫେରାର ହୋଇଯାଇଥିବା ବେଳେ ପୁଲିସ ୨ ଜଣଙ୍କୁ କାବୁ କରିଥିଲା। ସେଠାରୁ ୩୦୦ ଟଙ୍କା, ୨ଟି ତାସ୍ ପୁଡ଼ିଆ ଓ ୪ଟି ବାଇକ୍ ସହ ଗୋଟିଏ କାର୍କୁ ପୁଲିସ ଜବତ କରିଥିଲା। ଗିରଫ ଦୁଇ ଜଣ ହେଲେ ନର୍ଲାର ନବୀନ ସାହୁ ଓ ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ଜଗନ୍ନାଥ ସାହୁ। ଏ ନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।