ଦି ଭରି ସୁନା ପାଇଁ ବଳି ପଡିଗଲା ଲକ୍ଷ୍ମୀ ! ମାଟିତଳୁ ପୁଲିସ କାଢିଲା ମୃତଦେହ

ନୂଆପଡ଼ା: ଦୁଇଟି ବାଇକ ପାଇ ବି ବୁଝିଲାନି ଜ୍ୱାଇଁର ମନ | ଦି ଭରି ସୁନା ପାଇଁ ସାତ ଜନମର ସାଥିକୁ ହତ୍ୟା କରି ପୋତିଦେବା ଘଟଣା ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି | ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୋଟଗାଁରେ ଜଣେ ବିବାହିତ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରି ପୋତି ଦେଇଥିବା ମୃତ ଝିଅର ବାପା ଥାନାରେ ଅଭିଯୋଗ କରିଥିଲେ । ନିଜ ଝିଅକୁ ହତ୍ୟା କରି ମୃତଦେହ ଝିଅର ଶାଶୂଘର ଲୋକ ପୋତିଦେଇଥିବା କଥା ଅଭିଯୋଗ କରିଥିଲେ | ହତ୍ୟାକାଣ୍ଡର ୬ ଦିନ ପରେ ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହ ଜବତ କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ବୋ‌ଡ଼େନ ଥାନା ଅଧିକାରୀ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ ସିନାପାଲି ବ୍ଳକ ଘାଟମାଲ ପଞ୍ଚାୟତ ଚିତାରମା ଗାଁର ପବିତ୍ର ଚିନ୍ଦାଙ୍କ ଝିଅ ଲକ୍ଷ୍ମୀ ଚିନ୍ଦାଙ୍କୁ ଗତବର୍ଷ ବୋଡ଼େନ ଥାନା ଅନ୍ତର୍ଗତ କୋଟଗାଁ ଗ୍ରାମର ଭଲ ଚିନ୍ଦା ବିବାହ କରିଥିଲେ। ଝିଅ ଘରେ ଗରିବ ହୋଇଥିଲେ ମଧ୍ୟ ଜ୍ୱାଇଁଙ୍କ କହିବା ମୁତାବକ ଯୌତୁକ ବାବଦକୁ କିସ୍ତିରେ ଏକ ହିରୋ ପେସନ ପ୍ରୋ ବାଇକ ମଧ୍ୟ ଦେଇଥିଲେ। ହେଲେ ପରେ କିସ୍ତି ଦେଇ ନଥିବାରୁ ୨୦୧୯ ମସିହା ଦଶହରା ସମୟରେ ବାଇକକୁ ଫାଇନାନ୍ସ କମ୍ପାନୀ ନେଇଯାଇଥିଲା। ଏହାପରେ ସ୍ବାମୀ ଭଲ ଚିନ୍ଦା ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିଲେ। ଏହା ଜାଣି ଝିଅର ବାପା ଜାନୁୟାରୀ ୧୨ ତାରିଖରେ ଆଉ ଏକ ନୂଆ ଡିଲକ୍ସ ବାଇକ କିଣି ୧୩ ତାରିଖ ଦିନ ଜ୍ୱାଇଁଙ୍କୁ ଦେଇଥିଲେ। କିନ୍ତୁ ଲୋଭି ଜ୍ୱାଇଁ ଆଉ ଦୁଇ ଭରି ସୁନା ଦେବାକୁ କହିଥିଲେ । ଜାନୁୟାରୀ ୧୫ ତାରିଖ ଦିନ ଝିଅ ଲକ୍ଷ୍ମୀ ଚିନ୍ଦା ଗୁରୁତର ଅବସ୍ଥାରେ ବୋଡ଼େନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଲକ୍ଷ୍ମୀଙ୍କ ବାପଘରକୁ କୁହାଯାଇଥିଲା |

ଏହାପରେ ଝିଅର ମୃତ୍ୟୁ ହୋଇଯାଇଥିବା କୁହାଯାଇଥିଲା | ଜାନୁୟାରୀ ୧୬ ତାରିଖ ଦିନ ଲକ୍ଷ୍ମୀଙ୍କ ଶାଶୂଘର ପକ୍ଷରୁ ମୃତଦେହକୁ ନେଇ କୋଟଗାଁ ପାଖରେ ଥିବା ଏକ ଜଙ୍ଗଲରେ କାହାକୁ କିଛି ନ ଜଣାଇ ପୋତିଦିଆଯାଇଥିଲା | ଏହାକୁ ନେଇ ୨୦ ତାରିଖ ଦିନ ଝିଅର ବାପା ପବିତ୍ର ଚିନ୍ଦା ବୋଡ଼େନ ଥାନାରେ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ‌ମହିଳାଙ୍କ ମୃତଦେହକୁ ପୋତି ଥିବା ସ୍ଥାନରୁ ଉଦ୍ଧାର କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ଯୌତୁକ ପାଇଁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପୁଲିସ ତଦନ୍ତ ଆରମ୍ଭ କରିବ ବୋଲି ବୋଡେ଼ନ ଥାନା ଅଧିକାରୀ କହିଛନ୍ତି |

ସମ୍ବନ୍ଧିତ ଖବର