କଂଗ୍ରେସର ବନ୍ଦ ପାଳନ ବେଳେ ରାସ୍ତାରୋକ ଓ ଗାଡ଼ିପୋଡ଼ି ଘଟଣା : ପ୍ରଦୀପ ମାଝୀଙ୍କ ସମେତ ୨୦ ଜଣଙ୍କ ନାମରେ ମାମଲା

ଆମକୁ ଜେଲ୍‌ ପୂରାନ୍ତୁ; କିନ୍ତୁ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ:ପ୍ରଦୀପ

ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଗୁରୁବାର ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଂଗପୁର ବନ୍ଦ ପାଳନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ସହ ଏକ ଗାଡ଼ି ଜାଳି ଦେଇଥିଲେ। ଏ ନେଇ ଆଜି ପୁଲିସ ନିଜ ଆଡ଼ୁ ପୁଲିସ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ୨୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆନ୍ଦୋଳନ ବେଳେ ଗାଡ଼ିରେ ନିଆଁ ଲଗାଇବା, ନିଆଁ ଲଗାଇବା ପାଇଁ ଲୋକଙ୍କୁ ଉସୁକାଇବା, ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ କରିବାବେଳେ ବାଧାଦେବା, ସରକାରୀ ସଂପତ୍ତି ନଷ୍ଟ କରିବା, ଟ୍ରାଫିକ୍ ଜାମ୍ କରିବା ଆଦି ଅଭିଯୋଗରେ ପୁଲିସ ଆଇପିସିର ଦଫା ୩୪୧, ୨୯୪, ୧୪୭, ୩୫୩, ୪୩୧, ୨୮୩, ୫୦୬, ୧୨୦(ଜି), ୧୪୯ ଓ ୩ ପିଡିପିପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଗୁରୁବାର କୋଷାଗୁମୁଡା ବ୍ଲକର ଗୁମଣ୍ଡଳି ଗ୍ରାମର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା। ପୂର୍ବତନ ସାଂସଦ ଶ୍ରୀ ମାଝୀଙ୍କ ନେତୃତ୍ବରେ ଦଳର କର୍ମୀମାନେ ଚାଉଁରିଆଗୁଡା ନିକଟରେ ପୁଲିସ ଆନ୍ଦୋଳନକୁ ଭଣ୍ଡୁର କରୁଥିବା ଅଭିଯୋଗ କରି ପୁଲିସ ବିରୋଧରେ ସ୍ଳୋଗାନ ଦେଇଥିଲେ। ଏହି ସମୟରେ ଏକ ଇଞ୍ଜିନ୍ ଓ ଚକା ବିହୀନ ଏକ କାର୍‌ ହୁତହୁତ ହୋଇ ଜଳିଥିଲା। ଅନ୍ୟପକ୍ଷରେ ଟେଲିଫୋନ୍‌ରେ ଦଳୀୟ କର୍ମୀଙ୍କୁ ପେଟ୍ରୋଲ ଓ ଡିଜେଲ୍ ରେଡି ରଖିଥାଅ, ନିର୍ଦ୍ଦେଶ ଯିବା ପରେ ସବୁ ଜାଳି ଦେବ ବୋଲି ଶ୍ରୀ ମାଝୀ କାହାକୁ କହୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଶ୍ରୀ ମାଝୀଙ୍କ ଏଭଳି ବିବାଦୀୟ ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଆମକୁ ଜେଲ୍‌ ପୂରାନ୍ତୁ; କିନ୍ତୁ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ:ପ୍ରଦୀପ

ପୁଲିସ ଆଜି ଏହି ମାମଲାରେ ୨୨ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପୁଲିସ ଆଜି ପର୍ଯ୍ୟନ୍ତ ପ୍ରକୃତ ଦୋଷୀଙ୍କୁ ଧରିପାରିଲେ ନାହିଁ। ଯେଉଁମାନେ ପୀଡ଼ିତାଙ୍କ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ସେମାନଙ୍କ ବିରୋଧରେ ସଂଗିନ ଦଫା ଲଗାଉଛି। ଆନ୍ଦୋଳନ ସମୟରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ କି କାହାକୁ କ୍ଷତି ପହଞ୍ଚାଯାଇ ନାହିଁ। ଜେଲରେ ପୂରାଇବା କଥା ପୂରାନ୍ତୁ। ଏଥିପାଇଁ ଆମେ ଆଦୌ ବିଚଳିତ ନାହୁଁ। କିନ୍ତୁ ପୀଡିତା ପରିବାରଙ୍କୁ ନ୍ୟାୟ ଦିଅନ୍ତୁ। ଏହି କଥାକୁ ଘଣ୍ଟ ନ ଘୋଡାଯାଉ ବୋଲି ସେ କହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପୁଲିସ ୩ୟ ମହଲା ଓ ବିଜେଡି କର୍ମୀଙ୍କୁ ଖୁସି କରିବା ପାଇଁ ଏପରି କାର୍ଯ୍ୟ କରୁଛି। ଗତକାଲି ୧୧ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ବେଳେ ପୁଲିସ କଂଗ୍ରେସର ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲା। ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ କାହିଁକି ପ୍ରକାଶ କରାଯାଇପାରି ନାହିଁ ଏହି କଥାକୁ କେହି ଗୁରୁତ୍ବ ଦେଉନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର