ବଢୁଛି ପାଟଣାଗଡ଼ ବିଧାୟକଙ୍କ ଅଡୁଆ, ମାମଲା ରୁଜୁ କଲା ପୁଲିସ

ପାଟଣାଗଡ଼: ବଢ଼ିବାରେ ଲାଗିଛି ବିଧାୟକ ସରୋଜ ମେହେରଙ୍କ ପାଇଁ ଅଡୁଆ | ବିଧାୟକ ସରୋଜ ମେହେରଙ୍କ ବିରୋଧରେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ସ୍ତ୍ରୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି | ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୩୬୩,୨୯୪,୩୨୩,୩୫୩,୩୫୫ ଦଫା ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ଯାତନା ନିରୋଧ ଆଇନର ଦଫା ୩ ଲାଗିଛି | ଏହାସହ ସରକାରୀ ଅଧିକାରୀଙ୍କୁ ଉଠବସ କରାଇବା ଅଭିଯୋଗ ପରେ ଏବେ ବିଜେପି ତାଙ୍କର ଗିରଫ ଦାବି କରିଛି | ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପାଟଣାଗଡ଼ ବିଧାୟକଙ୍କ ଆଚରଣକୁ କଡ଼ା ନିନ୍ଦା କରିବା ସହ ବିଧାୟକ ଆଇନକୁ ହାତକୁ ନେଇଛନ୍ତି ବୋଲି କହିଛନ୍ତି |

ଶୁକ୍ରବାର ସକାଳେ ପାଟଣାଗଡ଼ ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ନୂଆପଡା ଖରିଆରରୁ ଉଦ୍ଧାର କରିଥିଲା ପୁଲିସ | ଏହା ପରେ ତାଙ୍କୁ ଘରେ ଛାଡିଥିଲା | ଜେଇ ଜୟକାନ୍ତ ଶବର କହିଛନ୍ତି ଯେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ମାଡ ମାରିଥିଲେ | ତେବେ ନିମ୍ନମାନର କାମ ନେଇ କୌଣସି ଅଭିଯୋଗ ନଥିଲା ବୋଲି ଜୟକାନ୍ତ କହିଛନ୍ତି |

ଏହାକୁ ନେଇ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି | ଏଠାରେ ସୂଚନା ଥାଉ କି ବିଧାୟକଙ୍କ ନାମରେ ଗତକାଲି ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ | ପାଟଣାଗଡ଼ ବିଧାୟକ ଜେଇ ଜୟକାନ୍ତଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଥିବାର ଭିଡିଓ ଭାଇରଲ ହୋଇଥିଲା |

ସମ୍ବନ୍ଧିତ ଖବର