ସଇନ୍ତଳା ପାଳଗଦାରୁ ନରକଙ୍କାଳ ଉଦ୍ଧାର ମାମଲା: ସ୍କେଚ୍‌ ଜାରିକଲା ପୁଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ବଲାଙ୍ଗୀର/ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡ଼ା ପାଳଗଦା ଭିତରୁ ନରକଙ୍କାଳ ଓ ୧୪ଟି ଚୁଡ଼ି, ପାଉଁଜି ପୁଲିସ ଜବତ କରିଥିଲା। ୨୦୨୧ ଫେବ୍ରୁଆରି ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ତଦନ୍ତରୁ କଙ୍କାଳର ଖପୁରିକୁ ଆଧାର କରି ଅବିକଳ ଚେହେରାର ଦୁଇଟି ଫଟୋ ଜାରି କରିଛି ପୁଲିସ। ଫଟୋରେ ଝିଅର ବୟସ ୧୮ରୁ ୨୫ ଭିତରେ ଥିବା ଅନୁମାନ କରାଯାଉଛି। ତାଙ୍କ ସଂପର୍କରେ କେହି ଜାଣିଲେ ପୁଲିସକୁ ଫୋନ୍‌ ନଂ-(୦୬୬୫୨-୨୩୨୩୦୦)ରେ ସୂଚନା ଦେବାକୁ ଏସ୍‌ପି ଅନୁରୋଧ କରିଛନ୍ତି। ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ଏବଂ ନାମ ଗୋପନ ରଖାଯିବ ବୋଲି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ନବୀନ ଛକ ନିକଟରେ ଥିବା ବିବିନା ଗ୍ରାମର ସଂଜୟ ଓରଫ ରାହାସ ମୁନାଙ୍କ ଚାଷଜମିରୁ ନରକଙ୍କାଳ ଉଦ୍ଧାର ହୋଇଥିଲା। ସେ ସମୟରେ ମୁନା ପ୍ରଥମେ ନରକଙ୍କାଳ ଓ ପାଳଗଦା ପୋଡ଼ିଯାଇଥିବା ଦେଖି ପୁଲିସକୁ ଜଣାଇଥିଲେ। ସଇନ୍ତଳା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ଘଟଣାସ୍ଥଳରୁ ପୋଡ଼ିଯାଇଥିବା ଖପୁରି, କିଛି ହାଡ଼, ୧୪ଟି ଚୁଡ଼ି ଓ ପାଉଁଜି ଜବତ କରିଥିଲା ପୁଲିସ। ସଇନ୍ତଳା ଥାନା କେସ୍‌ ନଂ.୬୦/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଏବେବି ହତ୍ୟାକାରୀ କିଏ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ନରକଙ୍କାଳ ବି କାହାର ଜଣାପଡ଼ି ନଥିବାରୁ ପୁଲିସ ଏହି ସ୍କେଚ୍‌ ଜାରି କରିଥିବା କହିଛି।

ସମ୍ବନ୍ଧିତ ଖବର