ନୀଳାଚଳ କର୍ତ୍ତୃପକ୍ଷ-କର୍ମଚାରୀ ମୁହାଁମୁହିଁ: ୧୭ଦିନ ବନ୍ଧାପଡ଼ିଥିବା କୋକ୍ ଟ୍ରେନକୁ ମୁକୁଳାଇଲା ପୁଲିସ୍

୧୫ଶହ କର୍ମଚାରୀ ୧୧ମାସ ଭୋକିଲା
ଏମଏମଟିସି ହାତେଇ ନେଲା ଆଉ ୨୧କୋଟି ଟଙ୍କା
ରେଲୱେର ୩୮ଲକ୍ଷ ଟଙ୍କା ଜରିମାନା

ଯାଜପୁର/ଦାନଗଦୀ : ବକେୟା ପ୍ରାପ୍ୟକୁ ନେଇ କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ କର୍ତ୍ତୃପକ୍ଷ ଏବଂ ଜୀବିକା ହରାଇଥିବା କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ୧୧ ମାସ ଧରି ଭୋକିଲା ୧୫ଶହ କର୍ମଚାରୀ ୧୭ ଦିନ ଧରି କୋକ ଟ୍ରେନକୁ ଅଟକ ରଖି ଆନ୍ଦୋଳନ ଜାରି ରଖିଥିବା ବେଳେ ଶନିବାର ଦିନ ପୁଲିସ ପହଞ୍ଚି ତାକୁ ମୁକୁଳାଇଛି। ଅନ୍ୟପଟେ ସହଯୋଗୀ ସଂସ୍ଥା ଏମଏମଟିସି ଆଉ ୨୧ କୋଟି ଟଙ୍କା ହାତେଇ ନେଇଛି। ଏହାକୁ କେନ୍ଦ୍ରକରି ଜଟିଳ ପରିସ୍ଥିତି ସୃ‌ଷ୍ଟି ହୋଇଛି। ସେପଟେ ୧୭ଦିନ ହେଲା ଟ୍ରେନ୍ କୁ ଅଟକ ରଖାଯାଇଥିବାରୁ ରେଲୱେ ବିଭାଗ ୩୮ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଦେଶରେ ଇସ୍ପାତ ଉତ୍ପାଦନ ପାଇଁ ଘରୋଇ କମ୍ପାନିକୁ ସରକାର ନିମନ୍ତ୍ରଣ କରି ଅଶେଷ ସୁବିଧା ସୁଯୋଗ ଦେବାକୁ ଚୁକ୍ତି କରୁଛନ୍ତି। ଅଥଚ ବର୍ଷ ବର୍ଷ ଧରି ଇସ୍ପାତ ଉତ୍ପାଦନ କରିଆସୁଥିବା ଇସ୍ପାତ ରାଜଧାନୀ କଳିଙ୍ଗନଗରସ୍ଥିତ ଏକ ମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଗତ ବର୍ଷ ଠାରୁ ବାଣିଜ୍ୟ ବିଭାଗର ଏମଏମଟିସିର ମନମାନି ଯୋଗୁ ତାଲା ପଡ଼ିଛି। ପ୍ରାୟ ୪ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ କରୋନା ସମୟରେ ଜୀବିକା ହରାଇଥିବା ବେଳେ ୧୧ମାସ ହେଲା ଦରମା ପାଇ ନଥିବା ୧୫ଶହ ସ୍ଥାୟୀ କର୍ମଚାରୀଙ୍କର ହଜାର ହଜାର ପରିବାର ଲୋକ ଭୋକ ଉପବାସରେ ଦିନ କାଟୁଛନ୍ତି। ଏହି ସମୟରେ ଏମଏମଟିସି କାରଖାନା ପରିସରରୁ ଟ୍ରେନ୍ରେ ଲଗାତର କୋକ୍ ଛତିଶଗଡ଼ ଚାଲାଣ କରୁଥିବା ବେଳେ ଶହ ଶହ ଭୋକିଲା କର୍ମଚାରୀ ଗତ ୧୭ଦିନ ହେଲା କୋକ୍ ‌ଟ୍ରେନ୍କୁ ବନ୍ଧା ରଖିଥିଲେ। ଆଜି ପୁଲିସ ସହାୟତାରେ କାରଖାନା କର୍ତ୍ତୃପକ୍ଷ ଟ୍ରେନକୁ ମୁକୁଳାଇଛନ୍ତି।

କାରଖାନା କର୍ତ୍ତୃପକ୍ଷ ଚୁକ୍ତି ଖିଲାପ କରି ଭୋକିଲା କର୍ମଚାରୀଙ୍କର ଦରମା ନଦେଇ ଏମଏମଟିସି ସହିତ ହାତ ମିଳାଇ ୨୧କୋଟି ଟଙ୍କାର କୋକ୍ ବିକ୍ରି କରି ଦେଇଥିବାରୁ ଆନ୍ଦୋଳନ ତ୍ରୀବ ରୂପ ଧାରଣ କରିଛି। ତେବେ ଆଜି ସଟ୍ ଡାଉନ୍ ଥିବାରୁ ଆନ୍ଦୋଳନକାରୀ କର୍ମଚାରୀ ଆସି ନପାରିବା ସୁଯୋଗରେ ପୁଲିସ ସହାୟତାରେ ଅଟକ ଥିବା କୋକ୍ ବୋଝେଇ ଟ୍ରେନ୍କୁ ରାତାରାତି କାରକାନା କର୍ତ୍ତୃପକ୍ଷ ଖସାଇ ଦେବାକୁ ଲାଗିପଡ଼ିଛନ୍ତି।

କଳିଙ୍ଗନଗରର ନୀଳାଚଳ ଇସ୍ପାତ କାରଖାନା କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଅନ୍ତର୍ଗତ ଏମଏମଟିସିର ମୁଖ୍ୟ ଅଂଶୀଦାର ସହଯୋଗରେ କାରଖାନା ଚଳାଇ ଆସିଥିଲେ। ଏମଏମଟିସିର କେତେକ ଅସାଧୁ ଅଧିକାରୀ ନୀଳାଚଳ କାରଖାନା ପାଇଁ କ୍ରୟ ଓ ବିକ୍ରି ସମସ୍ତ ସାମଗ୍ରୀ ଉପରେ ମାତ୍ରାଧିକ କମିଶନ୍ ନେଇ କାରଖାନାକୁ ଦେବାଳିଆ କରିଦେଲେ। କାରଖାନାକୁ ଦୀର୍ଘ ଦିନ ପରେ ଖଣି ମିଳିଲା ବେଳକୁ ଯୋଜନାବଦ୍ଧ ଭାବେ ଗତ ବର୍ଷ କାରଖାନାରେ ତାଲା ପଡ଼ିଲା। ବିଭିନ୍ନ ପର୍ଯ୍ୟାୟରେ ସରକାର ଓ ପ୍ରଶାସନ ସହିତ କାରଖାନା କର୍ତ୍ତୃପକ୍ଷ ଓ ଏମଏମଟିସିର ଅଧିକାରୀ ଆଲୋଚନା କରି କରୋନା ସମୟରେ ସ୍ଥାୟୀ ବେକାରୀ ୧୫ଶହ କର୍ମଚାରୀଙ୍କ ଦରମା ପ୍ରଦାନ କରିବା ପାଇଁ ଚୁକ୍ତି ହୋଇଥିଲା। କାରଖାନାର ଗଚ୍ଛିତ ଥିବା କୋକ୍ ବିକ୍ରି କରି ପ୍ରତି ୧୨କୋଟି ଟଙ୍କା ଆୟରୁ ୭.୫କୋଟି କର୍ମଚାରୀଙ୍କ ଦରମା ଓ ୨କୋଟି ଟଙ୍କା ପିଏଫ୍ ପ୍ରଦାନ ପରେ ଅବଶିଷ୍ଟ ଅର୍ଥ କାରଖାନା କର୍ତ୍ତୃପକ୍ଷ ଋଣ ପରିଶୋଧ କରିବେ । ମାତ୍ର ଏଥିରେ କାରଖାନା କର୍ତ୍ତୃପକ୍ଷ ଏମଏମଟିସି ର ହାତ ବାରିସୀ ହୋଇ ୩ଟି ରୢାକ୍ କୋକ୍ ଚାଲାଣ କରିଦେଲେ। ଯାହାର ମୂଲ୍ୟ ୨୧କୋଟି ଟଙ୍କା।

ଏମଏମଟିସି ଓ କାରକାନା କର୍ତ୍ତୃପକ୍ଷଙ୍କର ଚଞ୍ଚକତା ଜଣାପଡ଼ିବା ପରେ ଗତ ମାସ ୨୨ତାରିଖରୁ କୋକ୍ ବୋଝେଇ ଟ୍ରେନ୍ କୁ ଭୋକିଲା ଆନ୍ଦୋଳକାରୀ ଶହଶହ କର୍ମଚାରୀ କାରଖାନା ପରସରରେ ଅଟକ ରଖିଥିଲେ। ସ୍କ୍ରାଫ୍ ବିକ୍ରିରୁ ମିଳିଥିବା ଅର୍ଥରୁ ୧୨ମାସରୁ ମାତ୍ର ଗୋଟିଏ ମାସର ଦରମା ଗତକାଲି ପ୍ରଦାନ କରି ପୁଲିସ ସହାୟତାରେ ଆଜି ଅଟକ ଟ୍ରେନ୍କୁ କାରଖାନା କର୍ତ୍ତୃପକ୍ଷ ମୁକାଳିବାକୁ ଲାଗିପଡ଼ିଛନ୍ତି। ସଟ୍ ଡାଉନ୍ ପାଇଁ ଆନ୍ଦୋଳକାରୀ ଘଟଣାସ୍ଥଳରେ ପହଞ୍ଚିପାରି ନଥିବା ସୁଯୋଗରେ କାରଖାନା କର୍ତ୍ତୃପକ୍ଷ ନିଜ ଯୋଜନାକୁ ସଫଳ କରିବାକୁ ଯାଇ ରାତାରାତି ଟ୍ରେନ୍ ପାର କରିଦେବାକୁ ଲାଗିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି କର୍ମଚାରୀ ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର