ଚର୍ଚ୍ଚରେ ବନ୍ଦୀ ଝାଡ଼ଖଣ୍ଡର ୧୨ ଯୁବକଙ୍କୁ ଉଦ୍ଧାର କଲା ପୁଲିସ

ଚାକିରି ଲୋଭ ଦେଖାଇ ଡକାଇଥିବା ଦଲାଲ ଅଟକ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ‘ଏ’ ସେକ୍ଟର ଜିଏଲ୍‌ ଚର୍ଚ୍ଚରେ ପ୍ରାୟ ୬ ଦିନ ଧରି ବନ୍ଦୀ ଥିବା ଝାଡ଼ଖଣ୍ଡର ୧୨ ଯୁବକଙ୍କୁ ଗତକାଲି ରାତିରେ ବନ୍ଧମୁଣ୍ଡା ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୁଲିସ ବନ୍ଧମୁଣ୍ଡା ‘ଡି’ କେବିନର ବିଲ୍‌କନ୍‌ ଭେଙ୍ଗ୍ରାଙ୍କୁ ଥାନାରେ ଅଟକ ରଖିଛି। ଉଦ୍ଧାର ସମସ୍ତ ଯୁବକଙ୍କୁ ପୁଲିସ ସେମାନଙ୍କ ଘର ଝାଡ଼ଖଣ୍ଡର ସିମଡେଗାକୁ ପଠାଇ ଦେଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଚର୍ଚ୍ଚରେ ପୁଲିସ ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଉଲ୍ଲେଖନୀୟ ଯେ ଚାକିରି ଦେବାର ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କୁ ଠକିବା ଅଭିଯୋଗରେ ବିଲ୍‌କନ୍‌ ପୂର୍ବରୁ ଗିରଫ ହୋଇ ଜେଲ୍‌ ଯାଇଥିଲେ।

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡର ବିଭିନ୍ନ କଳକାରଖାନାରେ ସିକ୍ୟୁରିଟି ଗାର୍ଡ ଚାକିରି ଦେବାର ଆଶା ଦେଇ ସେ ଝାଡ଼ଖଖଣ୍ଡ ସିମଡେଗାର କିଛି ଯୁବକଙ୍କଠାରୁ ଟଙ୍କା ନେଇଥିଲେ। ସେମାନଙ୍କୁ ଆବଶ୍ୟକ କାଗଜପତ୍ର ସହ ବନ୍ଧମୁଣ୍ଡାକୁ ଆସିବାକୁ କହିଥିଲେ। ନିର୍ଦ୍ଦେଶ ଅନୁସାରେ ଗତ ୫/୬ ଦିନ ତଳେ ସିମଡେଗାର ୧୨ ଜଣ ଯୁବକ ବନ୍ଧମୁଣ୍ଡାରେ ପହଞ୍ଚିଥିଲେ। ବିଲ୍‌କନ୍‌ ସେମାନଙ୍କୁ ବନ୍ଧମୁଣ୍ଡା ଏ ସେକ୍ଟରସ୍ଥିତ ଜିଏଲ୍ ଚର୍ଚ୍ଚରେ ରଖିଥିଲେ। ଚାକିରି ଦେବା ନାଁରେ ସେ ଦିନ ଗଡାଇ ଚାଲିଥିଲେ। ଯୁବକମାନେ ଚର୍ଚ୍ଚ ଭିତରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ତେବେ କରୋନା କଟକଣା ଯୋଗୁଁ ସବୁ ଧର୍ମାନୁଷ୍ଠାନ ବନ୍ଦ ଥିବା ବେଳେ ଜିଏଲ୍‌ ଚର୍ଚ୍ଚ ଭିତରେ କିଛି ଅଜଣା ଯୁବକ ରହିଥିବା ଦେଖି ସ୍ଥାନୀୟ ଲୋକ ବନ୍ଧମୁଣ୍ଡା ଥାନାକୁ ସୂଚନା ଦେଇଥିଲେ। ଗତକାଲି ରାତି ପ୍ରାୟ ୧୦ଟାରେ ପୁଲିସ ପହଞ୍ଚି ଚର୍ଚ୍ଚ ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପଚରାଉଚୁରା ବେଳେ ବିଲ୍‌କନ୍‌ ସେମାନଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରି ଦେବାକୁ କହି ଚର୍ଚ୍ଚରେ ରଖିଥିଲେ ବୋଲି ଯୁବକମାନେ ଥାନା ଅଧିକାରୀଙ୍କୁ କହିଥିଲେ। ଏ ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକେ ଚର୍ଚ୍ଚରେ ପହଞ୍ଚି ପାଟିତୁଣ୍ଡ କରିବା ସହ ବିଲ୍‌କନ୍‌ଙ୍କୁ ଗିରଫ କରିବାଲାଗି ଦାବି କରିଥିଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ବିଲ୍‌କନ୍‌ଙ୍କୁ ନେଇଯିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର