କଟକରେ ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

କଟକ: ରାସ୍ତାକଡ଼ରେ ଅବହେଳିତ ଅବସ୍ଥାରେ ପଡିଥିବା ଏକ ନବଜାତ ଶିଶୁ କନ୍ୟାକୁ ପୁଲିସ ଉଦ୍ଧାର କରିଛି | କଟକର ସିଡିଏ ସେକ୍ଟର ୮ ରାସ୍ତା କଡ଼ରୁ ଏହି ନବଜାତକୁ ଉଦ୍ଧାର କରାଯାଇଥିବାବେଳେ ଏବେ ଶିଶୁଟିକୁ ଶିଶୁଭବନରେ ଭର୍ତ୍ତି କରାଯାଇଛି | ଶିଶୁଟିର ଅବସ୍ଥା ସ୍ଥିର ଥିବାବେଳେ ଲକଡାଉନବେଳେ ଶିଶୁଟିକୁ କିଏ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଥିଲା ଏବେ ତାହାର ଖୋଳତାଡ଼ ଚାଲିଛି |


ମିଳିଥିବା ସୂଚନା ମୁତାବକ ମର୍କତ ନଗର ପୁଲିସ ପକ୍ଷରୁ ସିଡିଏ ଅଂଚଳରେ ପ୍ୟାଟ୍ରୋଲିଙ୍ଗ କରାଯାଉଥିବାବେଳେ ସେକ୍ଟର ୮ ରିଙ୍ଗରୋଡ଼ରେ ଏକ କନ୍ୟା ସନ୍ତାନକୁ କେହି ଅବହେଳିତ ଅବସ୍ଥାରେ ଛାଡି ଚାଲିଯାଇଥିବାର ପୁଲିସ କର୍ମୀମାନେ ଦେଖିଥିଲେ | ଏହା ପରେ ପୁଲିସ କର୍ମଚାରୀମାନେ ନବଜାତକୁ ଉଦ୍ଧାର କରି ତୁରନ୍ତ ଶିଶୁଭବନରେ ଭର୍ତ୍ତି କରିଥିଲେ |

ଶିଶୁଭବନର ଡାକ୍ତରମାନେ ନବଜାତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ସେ ସୁସ୍ଥ ଥିବାର ଜଣାପଡିଛି | ତେବେ ଲକଡାଉନକୁ ନେଇ ଏବେ ସହରରେ କଟକଣା ଥିବାବେଳେ କିଏ ଏହି ଶିଶୁଟିକୁ ରାସ୍ତା କଡରେ ଛାଡି ଚାଲିଯାଇଛନ୍ତି ତାହା ବାବଦରେ ଏବେ ପୁଲିସର ଖୋଳତାଡ଼ ଜାରି ରହିଛି |

ସମ୍ବନ୍ଧିତ ଖବର