ବାସନ୍ଦ ପରିବାରକୁ ଉଦ୍ଧାର କରିବାକୁ ଯାଇ ପୁଲିସ୍‌ ଫସିଲା : ୬ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ଫୁଲବାଣୀ : ଫୁଲବାଣୀ ସଦର ଥାନା କେରେଡି ପଞ୍ଚାୟତ ଡାଙ୍ଗୁଲୁ ଗାଁର ସୋମନାଥ ଭୁକ୍ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ସୋମନାଥଙ୍କକୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ କହୁଥିବାବେଳେ ପୁଲିସ ଏହାକୁ ଦୁର୍ଘଟଣାଜନିିତ ବୋଲି କହୁଛି। ପୁଲିସର ଏଭଳି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସକୁ ନେଇ ପାରୁନାହାନ୍ତି। ଏହାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ସୋମନାଥ ଜଣେ ଶିକ୍ଷିତ ଯୁବକ। ସେ ପାଠପଢା ସହ ଟିଉସନ କରନ୍ତି। ଗତ ୩ ତାରିଖ ସଂଧ୍ୟାରେ ସୋମନାଥ ଟିଉସନ କରୁଥିବା ସମୟରେ ସେହି ଗାଁର ସାଙ୍ଗ କାହ୍ନଚରଣ ବାରିକ ବୁଲିବାକୁ କହି ଡାକି ନେଇଥିଲେ। ତାପରଠୁ ସୋମନାଥର ପତ୍ତା ମିଳି ନଥିଲା। ୫ ତାରିଖ ସଂଧ୍ୟାରେ କାହ୍ନଚରଣ ଓ ତାଙ୍କ ପରିବାର ଲୋକେ ସୋମନାଥଙ୍କ ମୃତ୍ୟୁ ଦେହକୁ ଆଣି ଗାଁରେ ପହଞ୍ଚାଇଥିଲେ। ଦୁର୍ଘଟଣାରେ ସୋମନାଥର ମୃତ୍ୟୁ ହୋଇଛି ବୋଲି ସେମାନେ କହିଥିଲେ। ହେଲେ ଗାଁ ଲୋକେ ଏହାକୁ ସହଜରେ ବିଶ୍ୱାସକୁ ନେଇ ନଥିଲେ।

ଦୁଇ ଦିନ ହେଲା କାଳେ ଗ୍ରାମବାସୀଙ୍କ ଦ୍ୱାରା କାହ୍ନଚରଣଙ୍କ ପରିବାର ଲୋକ ବାସନ୍ଦ ହୋଇଥିଲେ। ଆଜି ଏହି ପରିବାରକୁ ଉଦ୍ଧାର କରିବାକୁ ଯାଇଥିଲେ। ଗ୍ରାମବାସୀ ପୁଲିସ ଗାଡ଼ି ସହ ଉଦ୍ଧାର କରିବାକୁ ଯାଇଥିବା ସଦର ଓ ଟାଉନ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ସୋମନାଥଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ସହ ଆଜିର ଘଟଣା ସମ୍ପର୍କରେ ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରତୀକ ସିଂହଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର