କାର୍‌ ଭିତରେ ପୁଅକୁ ଲକ୍‌ କରି ସମୁଦ୍ର ସ୍ନାନର ମଜା ନେଉଥିଲେ ଦମ୍ପତି, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୁଲିସ

ଭୋଗରାଇ : ଛୁଆଠୁ ବଡ଼ ହୋଇଗଲା ବପାମାଆଙ୍କ ମଜାମସ୍ତି! ପୁଅକୁ କାର୍‌ ଭିତରେ ଲକ୍ କରି ଦମ୍ପତି ସମୁଦ୍ର ସ୍ନାନର ମଜା ନେଉଥିଲେ। ତେବେ ଗୋଟେ ବଡ଼ ବିପଦ ଟଳିଗଲା। କାର୍‌ ଭିତରେ ଅଣନିଶ୍ବାସୀ ହୋଇ କାନ୍ଦୁଥିବା ପିଲାଟିକୁ କିଛି ଲୋକ ପୁଲିସ ସହାୟତାରେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘ‌ା ବେଳାଭୂମିରେ।

ସୂଚନା ଅନୁସାରେ; ଗତକାଲି ସକାଳେ ପଶ୍ଚିମବଙ୍ଗ କୁମାରଘାଟି ଥାନା ଅନ୍ତର୍ଗତ ସୋନାରପୁର ଗ୍ରାମର ଶେଖ ସଲିମ ଓ ତାଙ୍କ ପତ୍ନୀ ନାଜମା ବିବି ୫ ବର୍ଷର ପୁଅ ସର୍ଦାର ଶେଖଙ୍କ ସହ ଦୀଘା ବେଳାଭୂମିକୁ ବୁଲିବାକୁ ଆସିଥିଲେ। କାର୍‌ଟିକୁ ସେମାନେ ବେଳାଭୂମି ନିକଟରେ ପାର୍କିଂ କରିଥିଲେ। ସମୁଦ୍ରରେ ଗାଧୋଇବା ବେଳେ ପୁଅ ହଇରାଣ କରିବ ବୋଲି ଭାବି ତାକୁ ଦମ୍ପତି କାର୍‌ ଭିତରେ ଲକ୍‌ କରି ପଳାଇଯାଇଥିଲେ। ସେପଟେ ସ୍ବାମୀ-ସ୍ତ୍ରୀ ସମୁଦ୍ରରେ ଘଣ୍ଟାଏ ଧରି ଢେଉ ଭାଙ୍ଗୁଥିବା ବେଳ ଏପେଟେ ପିଲାଟି କାର୍‌ ଭିତରେ ଅଣନିଶ୍ବାସୀ ହୋଇ କାନ୍ଦୁଥିଲା। ତେବେ ପିଲାଟି କାର୍‌ ଭିତରେ ବିକଳ ହୋଇ କାନ୍ଦୁଥିବା ଦେଖି କିଛି ପର୍ଯ୍ୟଟକ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଂଚି କାର୍‌ର କାଚ ଭାଙ୍ଗିବା ସହ ଗୁରୁତର ଅବସ୍ଥାରେ‌ ପିଲାଟିକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା। ପରେ ବାପାମାଆ ଥାନାକୁ ଯାଇଥିଲେ। ସେଠାରେ ‌ବ୍ୟକ୍ତିଗତ ମୁଚାଲିକା ଦେଇ ପୁଅକୁ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର