ରାଉରକେଲା: ବାସନ୍ତୀକଲୋନିରେ ସପରିବାର ରହୁଥିଲେ। କିନ୍ତୁ ପତ୍ନୀଙ୍କ ସହ ନିୟମିତଭାବେ ଝଗଡ଼ା ଲାଗିରହିବାରୁ ବାସନ୍ତୀକଲୋନିର ଯୁବକ(୩୯) ତାଙ୍କ ବାପା(୭୨), ମା’(୬୬)ଙ୍କୁ ନେଇ ଭୁବନେଶ୍ବରରେ ପଳାଇଥିଲେ। ତେବେ ପତ୍ନୀ ନିଖୋଜ ଥିବାନେଇ ଏତଲା ଦେବାପରେ ଉଦିତନଗର ପୁଲିସ ତିନିଜଣଙ୍କୁ ଉଦ୍ଧାର କରିଛି। ସେହିଭଳି ମାଲଗୋଦାମ ଅଞ୍ଚଳର ଜଣେ ନାବାଳକ(୧୫) ଦ୍ବିତୀୟଥର ପାଇଁ ଘରୁ ଲୁଚି ପଳାଇଥିଲେ। ପରିବାରବର୍ଗଙ୍କ ସହ ଝଗଡ଼ାକରି ସେ ଦିଲ୍ଲୀକୁ ଯାଇ ଏଣେତେଣେ ରହୁଥିଲେ। ପୁଲିସ ନାବାଳକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିଛି। ଏଭଳି ନିଖୋଜ ଥିବା ୧୮ ଜଣଙ୍କୁ ଉଦ୍ଧାର କରିଛି ରାଉରକେଲା ପୁଲିସ। ନିଖୋଜ ହୋଇଥିବାନେଇ ଉଦିତନଗର, ବନ୍ଧମୁଣ୍ଡା, ଲହୁଣୀପଡ଼ା ପୁଲିସ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

Advertisment

ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ପୁଲିସ ଏକ ନିଖୋଜମାନଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଗତ ସପ୍ତାହରେ ମୋଟ୍‌ ୧୮ ଜଣଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ପୁରୁଷ, ୧୧ ଜଣ ମହିଳା/ଯୁବତୀ ଓ ୩ ଜଣ ନାବାଳକ/ନାବାଳିକା ଅଛନ୍ତି। ଉଦିତନଗର ପୁଲିସ ୫ ଜଣ(୨ ପୁରୁଷ, ୨ ମହିଳା ଓ ୧ ନାବାଳକ)ଙ୍କୁ ଉଦ୍ଧାର କରିଥିବାବେଳେ ବନ୍ଧମୁଣ୍ଡା ପୁଲିସ ୨ ନାବାଳିକା ଏବଂ ଲହୁଣୀପଡ଼ା ପୁଲିସ ୧୧ ଜଣ(୨ ପୁରୁଷ, ୭ଯୁବତୀ/ମହିଳା, ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଉଲ୍ଲେଖଯୋଗ୍ୟ, ଏମାନେ ଘରୁ ପଳାଇବାର କାରଣ ପ୍ରାୟ ସମାନ। ଏହି ୧୮ ଜଣଙ୍କ ମଧ୍ୟରୁ ୧୬ ଜଣ ରାଉରକେଲା ଓ ରାଜ୍ୟ ଭିତରୁ ଉଦ୍ଧାର ହୋଇଛନ୍ତି। ତେବେ ଜଣେ ନାବାଳକ(୧୫) ଦିଲ୍ଲୀ ଓ ଜଣେ ମହିଳା ରାଜସ୍ଥାନରୁ ଉଦ୍ଧାର ହୋଇଛନ୍ତି। ରାଜସ୍ଥାନରୁ ଉଦ୍ଧାର ହୋଇଥିବା ମହିଳା(୪୫) ସ୍ଥାନୀୟ ଓରାମପଡ଼ା ଅଞ୍ଚଳର। ସେ ଗତବର୍ଷ ଅକ୍ଟୋବର ୧୦ ତାରିଖରୁ ନିଖୋଜ ଥିଲେ। ପୁଲିସ ଦୀର୍ଘଦିନଧରି ଖୋଜାଖୋଜିକଲାପରେ ମଧ୍ୟ ତାଙ୍କର କୌଣସି ଟେର୍‌ ପାଇନଥିଲା। ତେବେ ମହିଳାଜଣକ ରାଜସ୍ଥାନର ଏକ ଆଶ୍ରମରେ ଥିବା ପୁଲିସ ସୂଚନା ପାଇଁ ଏକ ସ୍ବତନ୍ତ୍ର ଦଳ ସେଠାରେ ପହଞ୍ଚି ଉଦ୍ଧାର କରିବାରେ ସଫଳ ହୋଇଛି।