ସମ୍ବଲପୁର: ଶୁକ୍ରବାର ରାତିରେ ମଦ ଦୋକାନରେ ଡକାୟତି ହୋଇଥିବା ବେଳେ ଶନିବାର ସନ୍ଧ୍ୟାରେ ସମ୍ବଲପୁର ସହର ଉପକଣ୍ଠରେ ଏନ୍କାଉଣ୍ଟର୍ ହୋଇଛି। କେନ୍ଘାଟି ନିକଟରେ ସମ୍ବଲପୁର ପୁଲିସ ଓ ଅନ୍ତଃଜିଲ୍ଲା ଡକାୟତମାନଙ୍କ ଗୁଳି ବିନିମୟ ଘଟିଛି। ଡକାୟତଙ୍କ ଗୁଳି ବିନିମୟରେ ପୁଲିସ ଅଧିକାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ, ପୁଲିସ ଗୁଳିରେ କୋରାପୁଟ ଜିଲ୍ଲାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ପୁଲିସ ୧୨ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ପାଖରୁ ପୁଲିସ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ୨ଟି ଦେଶୀ ବନ୍ଧୁକ, ୨ଟି ଭୁଜାଲି, ୪ଟି ବଡ଼ ଛୁରି, ୨ଟି ଲୁହା ରଡ୍ ଆଦି ପୁଲିସ ଜବତ କରିଛି।
ଆଜି ରାତି ୯ଟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ଏସ୍ପି ମୁକେଶ କୁମାର ଭାମୁ କହିଲେ, ଶୁକ୍ରବାର ବିଲମ୍ବିତ ରାତିରେ ସଦର ଥାନା ଅଧୀନ ଜୟନ୍ତପୁର ବିଦେଶୀ ମଦ ଦୋକାନରୁ ଡକାୟତି ହୋଇଥିଲା। ଏକ ସଂଗରେ ୧୨ରୁ ୧୩ ଜଣ ଦୁର୍ବୃତ୍ତ ମଦ ଦୋକାନ ଭିତରକୁ ପଶିଥିଲେ। ସେଲ୍ସମ୍ୟାନକୁ ଭୁଜାଲି ଓ ବନ୍ଧୁକ ଦେଖାଇ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟିଥିଲେ। ସୂଚନା ପାଇ ସମ୍ବଲପୁର ପୁଲିସ ତୁରନ୍ତ ସ୍ବତନ୍ତ୍ର ଟିମ୍ ଗଠନକରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ରେଳବାଇ ପୁଲିସ ସହ ସାମଞ୍ଜସ୍ୟ ରକ୍ଷା କରି ସମ୍ବଲପୁର ପୁଲିସ ଚଢ଼ଉ ଅଭିଯାନ ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ଟ୍ରେନ୍ରେ ଯିବାକୁ ଯୋଜନା ରଖିଥିବା ବେଳେ ରେଳବାଇ ପୁଲିସର ସକ୍ରିୟତା ଯୋଗୁ ତାହା ଭଣ୍ଡୁର ହୋଇଥିଲା। ପୁଲିସର ତ୍ବରିତ ପଦକ୍ଷେପ ଦେଖି ଦୁର୍ବୃତ୍ତମାନେ ପୁଲିସ ଆଖିରେ ଧୂଳି ଦେବା ପାଇଁ ଏକାଠି ନରହି ଅଲଗା ଅଲଗା ହୋଇଯାଇଥିଲେ। ତେବେ, ସମ୍ବଲପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ଦୁର୍ବୃତ୍ତଙ୍କୁ ଧରି ପଚରାଉଚରା କରିଥିଲା। କେନ୍ଘାଟି ବରଫ ଫ୍ୟାକ୍ଟ୍ରି ନିକଟରେ କେତେକ ଦୁର୍ବୃତ୍ତ ଲୁଚି ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଆଗୁଆ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ପ୍ରତି ଆକ୍ରମଣରେ ଗୁଳି ମାଡ଼ କରିଥିଲା। କୋରାପୁଟ ଲକ୍ଷ୍ମୀପୁରର ଜାକବ(୨୩)ର ଡାହାଣ ଗୋଡ଼ରେ ପୁଲିସର ଗୁଳି ବାଜିଥିଲା। ଜାକବକୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷରୁ ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା କୁହାଯାଉଛି। ଡକାୟତି ଘଟଣା ସଂକ୍ରାନ୍ତରେ ମଦ ଦୋକାନର ସେଲ୍ସମ୍ୟାନ୍ ମହମ୍ମଦ ଅଫତାବ ଆଲମ୍ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ମାମଲାରେ ପୁଲିସ ଜାକବ ସମେତ ମୋଟ ୧୨ଜଣଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି। ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଆର୍କେନଗରର ବାଙ୍ଗୁରି ମହେଶ(୩୨), ପି. ଜଗଦୀଶ(୧୮), ରେଲୱେ କଲୋନିର ଗୋପାଳ ସୁନା(୧୮), ଜଳିଆସାହିର ଚନ୍ଦନ ଜାନି(୧୮), କୋରାପୁଟ ପଟ୍ଟାମୁଣ୍ଡାର ପ୍ରହଲ୍ଲାଦ ଵାଦାକି(୧୯), ଲକ୍ଷ୍ମୀପୁରର ଗଳାପତି ଟିଲ୍ଲୁ(୨୨), ଯୋଗିପାଲିର ଜିରା ହୁଇକା(୧୮), ନାରିଶପୁରମ ରୋଡ୍ର ପଦକ ଇକଵାଲ(୧୯), ଲକ୍ଷ୍ମୀପୁରର ଜାକବ(୨୩), ନାରାୟଣପାଟଣାର ଜିତୁ ସାଦ୍ରିଆ(୧୮)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/dgjjgjggjgjgj.jpg)