ଅନୁଭବ-ବର୍ଷା ବିବାଦରେ ନୂଆମୋଡ଼: ବର୍ଷା ସୁରକ୍ଷା ଲୋଡ଼ିବା ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୁଲିସ  

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ କଟକ ଚୌଧୁରୀ ବଜାର ନନ୍ଦୀସାହିସ୍ଥିତ ବାସଭବନରେ ପହଞ୍ଚିଛି ପୁଲିସ। ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ ଅନୁଭବ ମହାନ୍ତିଙ୍କ ଘର ପହଞ୍ଚି ପଚରାଉଚରା କରୁଥିବା ସୂଚନା ରହିଛି।  ଅଭିଯୋଗ ଅନୁସାରେ, ବର୍ଷା ପ୍ରିୟଦର୍ଶିନୀ ଖାଉଥିବା ବେଳେ ଅନୁଭବଙ୍କ ଦୁଇ  ଜଣ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଜବରଦସ୍ତ  ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି । ବର୍ଷାଙ୍କ ଓକିଲ ଆର.କେ.ରଥଙ୍କ ସୂଚନା ଅନୁସାରେ ଅନୁଭବଙ୍କ ଘରେ ବର୍ଷାଙ୍କ ପ୍ରତି ବିପଦ ରହିଛି, ସେ ସୁରକ୍ଷିତ ନୁହନ୍ତି। ସୁଦୀପ ଓ ଖଗେନ୍ଦ୍ର ନାମକ ଦୁଇ ଜଣ ଯୁବକ ବର୍ଷାଙ୍କ କୋଠରୀ ଭିତରକୁ ଧସେଇ ପଶିଥିଲେ। ତେଣୁ ସେ ପୁଲିସର ସାହାଯ୍ୟ ଲୋଡ଼ିଛନ୍ତି। କେବଳ ୧୦୦ ନମ୍ବରକୁ ନୁହେଁ, ବର୍ଷା ନିଜ ସୁରକ୍ଷା ନେଇ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ବର୍ଷାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ୨୪ ଘଣ୍ଟା ପୁଲିସ ସୁରକ୍ଷା ଦିଆଯାଉ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି।

ଉପରୋକ୍ତ ଘଟଣାର କିଛି ସମୟ ପୂର୍ବରୁ  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଥିଲେ। ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ। ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ। ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। ସମସ୍ୟାର ସମାଧାନ ହୋଇଯିବ ବୋଲି ‌ମୋର ଆଶା।  ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ।’ ଏଥିସହ ଆହୁରି କହିଛନ୍ତି ଯେ ‘ମୁଁ ବର୍ଷାଙ୍କୁ ବହୁତ ଭଲପାଏ । ସେ ଏବେ ବି ଆମ ଘ‌ରେ ଅଛନ୍ତି। ମୁଁ ମୋ ବାପାଙ୍କ ଦେହ ନେଇ ବ୍ୟସ୍ତ ଅଛି, ତାଙ୍କର ଡାଏଲିସିସ୍ ଚାଲିଛି।’

ତେଣେ ଅକ୍ଟୋବର ୧୨ ତାରିଖକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଥିବା ଜଣାଯାଇଛି।  ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ଘରକୁ ଯାଇ ତାଙ୍କର ବୟାନ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ, ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡ଼ପତ୍ର ମାମଲାର ନୋଟିସ ପାଇବା ପରେ ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏ ନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତିି ।

ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ଅନୁଭବ । ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ ଦାଖଲ କରିଛନ୍ତି । ହେଲେ ବର୍ଷାଙ୍କ ନିକଟରେ ଏପର୍ଯ୍ୟନ୍ତ ଲିଗାଲ ନୋଟିସ ପହଁଚି ନାହିଁ । ତେଣୁ ନୋଟିସ ପହଁଚିବା ପରେ ସୁପ୍ରିମକୋର୍ଟ ଯିବେ ବର୍ଷା ।

ସମ୍ବନ୍ଧିତ ଖବର