ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ ମାମଲା, ପୁଲିସ କହୁଛି ସ୍ଥିତି ଠିକ୍

ଆୟକର ବିଭାଗ କହିଲା କାମ କରିବା ମୁସ୍କିଲ

କଟକ: ପୁଲିସ କହୁଛି ପରିସ୍ଥିତି ସଂପୂର୍ଣ୍ଣ ଠିକଠାକ ରହିଛି। କିନ୍ତୁ ଆୟକର ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଠିକରେ କାମ କରିବା ଅସମ୍ଭବ ହୋଇ ପଡୁଛି। ଏଭଳି ସ୍ଥିତି ଜାରି ରହିଲେ ଉଭୟ ସାଧାରଣ ଲୋକ ଏବଂ ସରକାର କ୍ଷତି ସହିବେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ଏଭଳି ପରସ୍ପର ବିରୋଧୀ ତଥ୍ୟ ରଖାଯାଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନଭେମ୍ବର ୧୯ରେ ହାଇକୋର୍ଟ ସମ୍ବଲପୁରରେ କୋର୍ଟ କାର୍ଯ୍ୟ ସ୍ବାଭାବିକ ଭାବେ ଚ‌ାଲିବା ଉପରେ ଗୁରୁତ୍ବା‌ରୋପ କରିବା ସହିତ ମାମଲା ପରିଚାଳନା ପାଇଁ ଇଚ୍ଛୁକ ଥିବା ଓକିଲ, ମହକିଲମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସମ୍ବଲପୁର ଏସପିଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ସମ୍ବଲପୁର ଏସପିଙ୍କ ପକ୍ଷରୁ ଡିଏସପି ଏନ.‌କେ.ଷଡଙ୍ଗୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସମ୍ବଲପୁର ଏସପି ୨୦୧୯, ନଭେମ୍ବର ୨୪ରେ ଟାଉନ ଥାନା ଓ ଧନୁପାଲି ଥାନା ଆଇଆଇସିଙ୍କୁ ଅଦାଲତ କାର୍ଯ୍ୟ କରିବାକୁ ଯାଉଥିବା ମହକିଲ ଓ ଓକିଲଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ସମ୍ବଲପୁର ଏସଡିପିଓଙ୍କୁ ଆଦେଶ ଦିଆଯାଇଥିଲା। ଏହି ପ୍ରସଂଗରେ ଅଗ୍ରଗତି ତଦାରଖ କରିବା ପାଇଁ ସମ୍ବଲପୁର ଅତିରିକ୍ତ ଏସପିଙ୍କୁ କୁହାଯାଇଥିଲା। କୋର୍ଟ କାର୍ଯ୍ୟ ସମୟରେ ହିଂସାତ୍ମକ ଘଟଣା‌ ନେଇ କୌଣସି ଅଭିଯୋଗ ମିଳି ନାହିଁ। କୋର୍ଟ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି ବୋଲି ଡିଏସପିଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ସମ୍ବଲପୁର ଦାୟିତ୍ବରେ ଥିବା ପ୍ରମୁଖ ଆୟକର କମିସନର ଡି.ଏନ.କର ଏକ ପିଟିସନ ହାଇକୋର୍ଟରେ ଦାଖଲ କରି ଦର୍ଶାଇଛନ୍ତି ଯେ ହାଇକୋର୍ଟ ବେଞ୍ଚ ଦାବି ପୂରଣ ପ୍ରସଂଗ ନେଇ କିଛି ବର୍ଷ ହେବ ଜିଲ୍ଲା ବାର୍ ଆସୋସଏସନ ଆନ୍ଦୋଳନ ଚଳାଇଥିବା ବେଳେ କୋର୍ଟ, ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁରରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏପରି ପରିସ୍ଥିତି ଯୋଗୁଁ ଆୟକର ବିଭାଗର ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହୁଛି। କାର୍ଯ୍ୟାଳୟର କର୍ମଚାରୀ ଓ ଆୟକରଦାତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ବଲପୁର ଡିଆଇଜି ଓ ଏସପିଙ୍କୁ ଆବଶ୍ୟକ ପୁଲିସ ମୁତୟନ ପାଇଁ ୨୦୧୮, ଫେବ୍ରୁଆରି ୨ରେ ଚିଠି କରାଯିବା ପରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଗତ ନଭେମ୍ବର ୨୨ରେ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନ ମାସର ଶେଷ ତିନି ଦିନ ଯଥା ନଭେମ୍ବର ୨୮, ୨୯, ୩୦ ତାରିଖରେ କାର୍ଯ୍ୟାଳୟ ବନ୍ଦ ପାଇଁ ଡାକରା ଦେଇଥିଲା। ଫଳରେ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବାକୁ ଥିବା ଆୟକର ବିଭାଗର କାର୍ଯ୍ୟ ଏଥିରେ ପ୍ରଭାବିତ ହୋଇଥିଲା। ଯଦି ଏପରି ପରିସ୍ଥିତି ଜାରି ରୁହେ ତେବେ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହେବ। ଏଥି ସହିତ ବିନା ଦୋଷରେ ଆସେସିଂ ଅଫିସର ମଧ୍ୟ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଜିଲ୍ଲା ବାର୍ ଆସୋସିଏସନ ସଦସ୍ୟମାନେ କାର୍ଯ୍ୟାଳୟକୁ ଯିବାରେ କର୍ମଚାରୀଙ୍କୁ ବାଧା ଦେଉଛନ୍ତି। କରଦାତା ଓ ଚାର୍ଟାଡ୍ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ କାର୍ଯ୍ୟାଳୟ ଭିତରକୁ ନ ଯିବାକୁ ଧମକ ଦିଆଯାଉଛି। ତେଣୁ ତାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଉ ବୋଲି ପ୍ରମୁଖ କମିସନରଙ୍କ ପକ୍ଷରୁ ଦାଖଲ ଇଣ୍ଟରଭେନର ପିଟିସନରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆୟକର ପ୍ରମୁଖ କମିସନଙ୍କ ପିଟିସନକୁ ଗ୍ରହଣ କରିବା ସହିତ ଏହି ପ୍ରସଂଗରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର