ବୀରମହାରାଜପୁରରୁ ଦିଲ୍ଲୀର ୧୦ ଜଣଙ୍କୁ ଉଠାଇଲା ପୁଲିସ, ଫେବ୍ରୁଆରି ୨୬ରେ ଟ୍ରେନ୍‌ରେ ଆସିଥିଲେ କଟକ

ଯାଜପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ବି ଯାଇଥିଲେ

ବୀରମହାରାଜପୁର/ବୌଦ୍ଧ: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରର ଜଣେ ଅଣଓଡ଼ିଶା ବ୍ୟକ୍ତିଙ୍କ ଘରେ ରହୁଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୧୦ ଜଣ ଲୋକଙ୍କୁ ପୁଲିସ ଶୁକ୍ରବାର ରାତିରେ ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛି। ସଂପୃକ୍ତ ଲୋକେ ଦିଲ୍ଲୀରୁ ଆସି ଏଠାରେ ରହୁଥିଲେ ବୋଲି ଜଣାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ତାଙ୍କ ଘରକୁ ଯାଇ ଏ ବାବଦରେ ପଚାରିଥିଲେ। ମାତ୍ର ତାଙ୍କ ଘରକୁ ବାହାର ରାଜ୍ୟରୁ କେହି ଆସି ନ ଥିବା କହିଥିଲେ। ଶୁକ୍ରବାର ରାତିରେ ବୀରମହାରାଜପୁର ପୁଲିସ ସେଠାରେ ଚଢ଼ଉ କରି ବାହାର ରାଜ୍ୟର ୧୦ ଜଣଙ୍କୁ ଉଠାଇ ନେଇଥିଲା। ବୀରମହାରାଜପୁର ଡାକ୍ତରଖାନାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଶନିବାର ସ୍ଥାନୀୟ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ସେମାନେ ଗତ ୧୭ ତାରିଖରୁ ଆସି ବୀରମହାରାଜପୁରରେ ରହୁଥିବା ପୁଲିସକୁ କହିଛନ୍ତି। ସେମାନଙ୍କୁ ପୁଲିସ ଅଧିକ ପଚରାଉଚରା ଜାରି ରଖିଛି।

ତେବେ ଏହି ବ୍ୟକ୍ତିମାନେ ଦିଲ୍ଲୀରୁ ଗତ ଫେବ୍ରୁଆରି ୨୬ ତାରିଖରେ ଟ୍ରେନ୍‌ ଯୋଗେ କଟକ ଆସିଥିଲେ ଓ ସେଠାରୁ ଯାଜପୁର ଯାଇଥିଲେ ବୋଲି ଜଣାପଡ଼ିଛି। ଯାଜପୁରର ଏକ ଧର୍ମପୀଠ ନିକଟରେ କିଛି ଦିନ ରହିବା ପରେ ଗତ ୩ ତାରିଖରେ ସୋନପୁର ଆସିଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ରହିବା ସହ ୧୧ ତାରିଖରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଆସି ସେଠ‌ାରେ ଏକ ଧର୍ମୀୟ ସ୍ଥଳରେ ୧୫ ତାରିଖ ପର୍ଯ୍ୟନ୍ତ ରହିଥିଲେ। ୧୬ ତାରିଖରେ ବୌଦ୍ଧ ଟାଉନ୍‌ରେ ରହି ୧୭ ତାରିଖରେ ବୀରମହାରାଜପୁର ଯାଇଥିଲେ ଓ ଉପରୋକ୍ତ ବ୍ୟକ୍ତିଙ୍କ ଘରେ ରହିଥିଲେ।

ସମ୍ବନ୍ଧିତ ଖବର