ଗ୍ରାମବାସୀ-ନକ୍ସଲ ଖଣ୍ଡଯୁଦ୍ଧ ଘଟଣା: ପୁଲିସ ସୁରକ୍ଷା ବଳୟରେ ୨ ଗଁ।

ଗ୍ରାମବାସୀଙ୍କୁ ସରକାରୀ ସହାୟତାର ସୁଅ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ପ୍ରଥମ ଥର ପାଇଁ ଗ୍ରାମବାସୀଙ୍କ ବିରୋଧରେ ସମ୍ମୁଖୀନ ହୋଇଛନ୍ତି ନକ୍ସଲ। ଏକଦା ନକ୍ସଲଙ୍କ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଂଚଳରେ ନକ୍ସଲ ବିରୋଧୀ ସ୍ବର ସମେତ ଗ୍ରାମବାସୀ ସଂଗଠିତ ଭାବେ ନକ୍ସଲଙ୍କ ସହ ସମ୍ମୁଖ ଲଢ଼େଇକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ସଂଘବଦ୍ଧ ଭାବେ ଆସିଥିବା ନକ୍ସଲ ଗ୍ରାମବାସୀଙ୍କ ସଂଗଠିତ ଆକ୍ରମଣକୁ ଦେଖି ଛତ୍ରଭଂଗ ଦେଇଥିଲେ ହେଁ ଲୋକଙ୍କ ଘରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିଛନ୍ତି। ତେବେ ଏହି ଘଟଣାରେ ପ୍ରଶାସନ ଗ୍ରାମବାସୀଙ୍କୁ ସମର୍ଥନ ଜଣାଇବା ସହ ସଂପୃକ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିଛି। ଏବେ ଯଡ଼ମ୍ବା ଓ ଜନ୍ତୁରାଇ ଗ୍ରାମ ପୁଲିସର ସୁରକ୍ଷା ବଳୟ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ଆଜି ପ୍ରଶାସନ ପକ୍ଷରୁ ଯଡ଼ାମ୍ବ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଇଛି।

ଏକଦା ସ୍ବାଭିମାନ ଅଂଚଳକୁ ଗମନାଗମନର ସୁବିଧା ନଥିବା ଯୋଗୁଁ ନକ୍ସଲ ସଂଗଠନ ଏହି ଅଂଚଳକୁ ନିଜର ସୁରକ୍ଷିତ ଅଂଚଳ ଭାବେ ବାଛି ନେଇଥିଲେ। ଗ୍ରାମବାସୀ ବି ଭୟରେ ନକ୍ସଲ ସଂଗଠନକୁ ବାଧ୍ୟବାଧକତାରେ ସମର୍ଥନ ଜଣାଉଥିଲେ। କିନ୍ତୁ ଏବେ ଏହି ଚିତ୍ରରେ ପରିବର୍ତ୍ତନ ଆସିବା ସହ ସମଗ୍ର ଅଂଚଳରେ ନକ୍ସଲଙ୍କୁ ବି‌ରୋଧ ପାଇଁ ଗ୍ରାମବାସୀ ସଂଗଠିତ ହେବା ସହ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଲଢ଼ିବା ପାଇଁ ପଣ କରିଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ନକ୍ସଲ ଜିପ୍ରୋ ଏବେ ପୁଲିସ କବଜାରେ ରହିଛି। ଗ୍ରାମରେ ଭୟର ବାତାବରଣ ରହିଥିବାରୁ ପୁଲିସ ଏହି ଦୁଇ ଗ୍ରାମବାସୀଙ୍କ ସମେତ ସିନ୍ଧିପୁଟ ଏବଂ ଟିକରପଡ଼ା ଗ୍ରାମବାସୀଙ୍କୁ ବି ସୁରକ୍ଷା ପ୍ରଦାନ କରୁଛି। ପରିସ୍ଥିତି ଶାନ୍ତ ପଡ଼ିବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ସହ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗ୍ରାମବାସୀ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ନକ୍ସଲ ଗୋଷ୍ଠୀ ଯେକୌଣସି ସମୟରେ କିଛି ଅଘଟଣ ଘଟାଇବାର ଆଶଙ୍କା ଥିବାରୁ ପୁଲିସ, ଏସଓଜି ଓ ବିଏସଏଫ୍ ପକ୍ଷରୁ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ଗ୍ରାମବାସୀଙ୍କ ପାଇଁ ଜନ୍ତୁରାଇ ଗ୍ରାମରେ ଏକତ୍ର ଭୋଜନର ବ୍ୟବସ୍ଥା କରାଯାଇଛି। ଆଜି ଯଡ଼ାମ୍ବ ଗ୍ରାମର ୬୦ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁର ଚେକ୍, ନଗଦ ୩ ହଜାର ଟଙ୍କା, ପ୍ରତ୍ୟେକ ପରିବାରକୁ ବିଜୁ ପକ୍କା ଘରର କା‌ର୍ଯ୍ୟାଦେଶ, ୫୦ କେଜି ଚାଉଳ, କଂସା ବାସନ ପ୍ରଦାନ କରାଯାଇଥିବାବେଳେ ୧୫ ଦିନ ପର୍ଯ୍ୟନ୍ତ ଫ୍ରି କିଚେନ୍‌ର ବ୍ୟବସ୍ଥା କରାଯାଇଥିବା ଚିତ୍ରକୋଣ୍ଡା ତହସିଲଦାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର