୩ ବାଲିଘାଟର ତଥ୍ୟ ମାଗିଲା ପୁଲିସ

ରିମାଣ୍ଡ ଶେଷ, ଟିଟୋ ଗଲା ଜେଲ୍‌ , ମୁହାଁମୁହିଁ ଜେରା ହେବେ ଅଫିସର-ଟିଟୋ

କଟକ/ସାଲେପୁର : ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀ ଜଳସେଚନ ବିଭାଗର ଚାରି ଅଧିକାରୀଙ୍କ ନାମ ପ୍ରକାଶ ପରେ ବିଭାଗରେ କମ୍ପନ ସୃଷ୍ଟି ହୋଇଛି। ନିର୍ଦ୍ଦିଷ୍ଟ ଚାରି ଅଫିସର୍‌ଙ୍କୁ ଯେ କୌଣସି ମୁହୂର୍ତ୍ତରେ ପୁଲିସ ଜେରା କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଟିଟୋକୁ ସାଲେପୁର କୋର୍ଟରେ ଆଜି ଦିନ ୧୧ଟା ସମୟରେ ହାଜର କରାଯାଇଥିଲା। ସାଲେପୁର କୋର୍ଟର ସିଭିଲ୍‌ ଜଜ୍‌ ପୃଥ୍ଵୀରାଜ ପ୍ରଧାନ ଟିଟୋକୁ କେନ୍ଦ୍ରାପଡ଼ା ଏସ୍‌.ଡି.ଜି.ଏମ୍‌ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ତାକୁ କେନ୍ଦ୍ରାପଡ଼ା ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

ତାହିର୍‌ ଅଲ୍ଲୀ ଗୁଳକାଣ୍ଡ ଘଟଣାରେ ଗ୍ୟାଙ୍ଗଷ୍ଟର୍‌ ଟିଟୋଖଉ ଶନିବାରଠାରୁ ଦୁଇ ଦିନିଆ ରିମାଣ୍ଡରେ ଆଣିଥିଲା ଜଗତପୁର ଥାନା ପୁଲିସ । ରିମାଣ୍ଡ ଅବଧି ସମୟରେ ଜଗତପୁର ଅଞ୍ଚଳରେ ୨୦୧୭ ବର୍ଷରେ ଟିଟୋ ତିନିଟି ବାଲିଘାଟ ନିଲାମ ନେଇଥିବା ସମ୍ପର୍କରେ ପୁଲିସକୁ କହିଛି। ଏହି ବାଲିଘାଟ ନିଲାମ ପ୍ରକ୍ରିୟା କିଭଳି ହୋଇଥିଲା, ଟିଟୋ ସମେତ ଅନ୍ୟ କେଉଁମାନେ ନିଲାମରେ ସାମିଲ ହୋଇଥିଲେ ଏବଂ କେତେ ବର୍ଷ ଓ କେତେ ଟଙ୍କାରେ ନିଲାମ ଦିଆଯାଇଛି, ସେ ସମ୍ପର୍କରେ ବିସ୍ତତ ତଥ୍ୟ ଟାଙ୍ଗୀ ତହସିଲ୍‌ଦାରଙ୍କୁ ଦାଖଲ କରିବାକୁ ପୁଲିସ ଚିଠି ଲେଖିଛି। ବେଆଇନ ଉପାୟରେ ବାଲିଘାଟ ନିଲାମ ହୋଇଥିବା ପୁଲିସ ସୁରାକ୍‌ ପାଇଥିବାରୁ ନିଲାମ ସଂକ୍ରାନ୍ତ ସମସ୍ତ ତଥ୍ୟ ମାଗିଛି। ଏହି ତଥ୍ୟ ପୁଲିସ ହାତରେ ଲାଗିବା ପରେ ନିଲାମ ପ୍ରକ୍ରିୟାରେ ଯେଉଁମାନେ ସାମିଲ ହୋଇଥିଲେ, ପୁଲିସ ସେମାନଙ୍କୁ ଜେରା କରିବାକୁ ନୋଟିସ୍‌ ଜାରି କରିବ। ଅନ୍ୟପଟେ ଜଳସେଚନ ବିଭାଗରେ ୩୦ ଲକ୍ଷର ଟେଣ୍ଡର କାମକୁ ନେଇ ତାହିର୍‌କୁ ଗୁଳିକାଣ୍ଡ ହୋଇଥିବାରୁ ବିଭାଗର ଚାରି ଅଧିକାରୀଙ୍କ ସହଯୋଗରେ ଟିଟୋ ଫିକ୍ସିଂ କରୁଥିବା ତଥ୍ୟ ପ୍ରମାଣ ପୁଲିସ ହାତରେ ଲାଗିଛି। ବିଭାଗରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ ହାତରେ ଲାଗିଥିବା ବେଳେ ଆହୁରି କିଛି ଟେଣ୍ଡର ସମ୍ପର୍କିତ ତଥ୍ୟ ଥାନାର ଦାଖଲ କରିବାକୁ ଚିଠି ଲେଖିଛି ପୁଲିସ।

ସମ୍ବନ୍ଧିତ ଖବର