ଟ୍ରକ୍‌ରୁ ୧୦୦୦ କିଲୋ ବିସ୍ଫୋରକ ଜବତ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ

ଭୁବନେଶ୍ବର/ବାଲେଶ୍ବର : ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ୧୦୦୦ କିଲୋ ବିସ୍ଫୋରକ ଧରାପଡ଼ିବା ଘଟଣା ନୂଆ ମୋଡ଼ ନେଇଛି। ଉଭୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କଫୋର୍ସ)ର ଏକ ଟିମ୍‌ ଖୋଳତାଡ଼ ଆରମ୍ଭ କରିଛି। ଓଡ଼ିଶାରୁ ଏହି ବିସ୍ଫୋରକ ଯାଉଥିବାରୁ ଓଡ଼ିଶା ଏସ୍‌ଟିଏଫ୍‌ର ମୁଣ୍ଡ ବିନ୍ଧିଛି। ଆଜି ଚାରିଜଣିଆ ଏକ ସ୍ବତନ୍ତ୍ର ଦଳ ପଶ୍ଚିମବଙ୍ଗ ଯାଇଛି। ସେଠାରେ ପଚରାଉଚରା ସହ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଦ୍ବୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯଦି ବିସ୍ଫୋରକ ଓଡ଼ିଶାରୁ ଯାଉଥିବା ସ୍ପଷ୍ଟ ହୁଏ ଓ ଏଥିରେ କୌଣସି ଆତଙ୍କୀ ସମ୍ପର୍କ ଜଣାପଡ଼େ, ତେବେ ଅଧିକ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ବୋଲି ଜଣାପଡ଼ିଛି। ଏମାନେ ଏକା ଅଛନ୍ତି ନା ଏମାନଙ୍କର ଆଉ କେହି ସହଯୋଗୀ ଅଛନ୍ତି, ତାହା ଉପରେ ମଧ୍ୟ ଏସ୍‌ଟିଏଫ୍‌ ଗୁରୁତ୍ବ ଦେଉଛି। କୌଣସି ସୂଚନା ମିଳିଲେ ଅଭିଯୁକ୍ତଙ୍କ ବୟାନ ମୁତାବକ ଚଢ଼ଉ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟାଟା ଏସିଇ ଗାଡ଼ି (ଓଡି-୦୧-ବି-୫୦୮୯) ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରୁ ବିସ୍ଫୋରକ ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା ଜିଲ୍ଲା ଅଧୀନ ଚିତପୁର ଥାନା ବିଟି ରୋଡ୍‌ର ତଳପୋଲ ନିକଟରେ ଏସ୍‌ଟିଏଫ୍‌ ଧରିଥିଲା। ଏଥିରେ ୧୦୦୦ କିଲୋଗ୍ରାମ୍‌ ବିସ୍ଫୋରକ ଥିଲା। ଗାଡ଼ି ଚାଳକ ବସ୍ତା ଥାନା ଅଧୀନ ମେଳକ ଗ୍ରାମର ଇନ୍ଦ୍ରଜିତ ଭୋଇ ଓ ମଥାନୀ ଗ୍ରାମର ପଦ୍ମଲୋଚନ ଦେ’ ଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର