୪୦ ଲକ୍ଷ ଜବତ ମାମଲା: ବାପ-ପୁଅ ଗିରଫ, ନିର୍ବାଚନରେ ଟଙ୍କା ବାଣ୍ଟିବା ନେଇ ସନ୍ଦେହ

ବରଗଡ଼/ପଦ୍ମପୁର : ମହୁଲପାଲି ଛକରୁ ରବିବାର ସକାଳୁ ୪୦ ଲକ୍ଷ ଟଙ୍କା ଜବତ ହୋଇଥିବା ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଗାଡ଼ି ମାଲିକ ଓମ୍‌ ପ୍ରକାଶ ଅଗ୍ରଓ୍ଵାଲ ଓ ତାଙ୍କ ପୁଅ ଆକାଶ ଅଗ୍ରଓ୍ଵାଲଙ୍କୁ ପୁଲିସ ଗିରଫ କରିଛି। ପଦ୍ମପୁରରୁ ବିଜେପୁର ଯିବା ରାସ୍ତାରେ ମହୁଲପାଲି ଛକ ଚେକ୍‌ ଗେଟ୍‌ ନିକଟରେ ଦ୍ରୁତ ଗତିରେ ଯାଉଥିବା ଜାଇଲୋ(ଓଡି ୧୭ଜି ୧୮୫୫)କୁ ପୁଲିସ ଅଟକାଇଥିଲା। ଜବତ ହୋଇଥିବା ଟଙ୍କା ବିଜେପୁର ଉପନିର୍ବାଚନରେ ବଣ୍ଟା ଯାଇଥାନ୍ତା ବୋଲି ପୁଲିସ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ, ପଦ୍ମପୁରସ୍ଥିତ ମିନାକ୍ଷୀ ଜ୍ୱେଲାରି ଅଳଂକାର ଦୋକନର ମାଲିକ ଆକାଶ ଅଗ୍ରଓ୍ଵାଲ ନିଜ ଗାଡ଼ିରେ ବରଗଡ଼ ଅଭିମୁଖେ ଯାଉଥିଲେ। ଯାଂଚ ବେଳେ ଟଙ୍କା ଭର୍ତି ୩୦ ଲକ୍ଷ ଟଙ୍କା ଜବତ କରି ପୁଲିସ୍‌ ପଦ୍ମପୁର ଥାନାକୁ ନେଇ ଆସିଥିଲା। ଶ୍ରୀ ଆକାଶ ଟଙ୍କା ନେଇ ବରଗଡ଼ସ୍ଥିତ ଜଣେ ଅଳଂକାର ବ୍ୟବସାୟୀଙ୍କ ପାଖକୁ ଯାଉଥିବା ପୁଲିସ୍‌କୁ କହିଥିଲେ।

 

ସନ୍ଦେହରେ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପୁନର୍ବାର ଗାଡ଼ି ଯାଂଚ କରିବାରୁ ଅନ୍ୟ ଏକ ବ୍ୟାଗରୁ ସାଢ଼େ ୧୦ଲକ୍ଷ ଟଙ୍କା ମିଳିଥିଲା। ତହସିଲଦାର ସୁକଦେବ ବେହେରା, ଏସ୍‌ଡିପିଓ ଶ୍ରୀ ପଣ୍ଡା, ଥାନାଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ, ଏଏସ୍‌ଆଇ ଲକ୍ଷ୍ମୀଧର ପାଇକରାୟ ପ୍ରମୁଖ ମିଳିତ ଭାବେ ମାମଲାର ତନାଘନା କରୁଛନ୍ତି। ତେବେ ଟଙ୍କାତକ କେଉଁ ଉଦ୍ଦେଶ୍ୟରେ ଗାଡ଼ିରେ ଯାଉଥିଲା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପର୍ଯ୍ୟବେକ୍ଷକ ଅଭିଷେକ ଚନ୍ଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର