ଚିଲିକାରେ ହେଲିକପ୍ଟର ଉଡ଼ାଇ ଫସିଲେ ବୈଜୟନ୍ତ : ବିମାନ ବନ୍ଦରରେ ହ୍ୟାଙ୍ଗର୍‌ ଓ ହେଲିକପ୍ଟର ଜବତ କଲା ପୁଲିସ

ମାମଲା ରୁଜୁ, ବିମାନରେ ବୈଜୟନ୍ତଙ୍କ ସହ ଆଉ ଦୁଇଜଣ ଥିଲେ, ଲାଇସେନ୍‌ସ ବାତିଲ୍‌ ପାଇଁ ଡିଜିସିଏକୁ ଲେଖିଲା ପୁଲିସ

ଭୁବନେଶ୍ୱର : ଚିଲିକାର ନଙ୍ଗାନାଶୀ ମୁହାଣ ନିକଟରେ ବିମାନ ଅବତରଣ କରିବା ଘଟଣା ଆଜି ନାଟକୀୟ ମୋଡ ନେଇଛି। ୧୫ ତାରିଖରେ ସି-ପ୍ଲେନ୍‌ ଓହ୍ଲାଇନଥିଲା, ବରଂ ଏହା ଏକ ଚପର୍‌ ଥିଲା ବୋଲି ଅଭିଯୋଗ ଆଣି ଚିଲିକା ଉନ୍ନୟନ କର୍ତୃପକ୍ଷ ଆଜି ଥାନାରେ ଏତଲା ଦେଇଥିଲେ। ଆଉ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ପୁଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ବିମାନବନ୍ଦର ପରିସରରେ ରଖାଯାଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇମ୍ଫାର ଚପର୍‌ (ହେଲିକପ୍‌ଟର)କୁ ଜବତ କରିବା ସହିତ ହେଲିପକଟର ରଖାଯାଇଥିବା ହ୍ୟାଙ୍ଗରକୁ ସିଲ୍‌ କରିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀ ପଣ୍ଡାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିବା ସହିତ ତାଙ୍କ ପାଇଲଟ୍‌ ଲାଇସେନ୍‌ସ ବାତିଲ୍‌ କରିବା ପାଇଁ ଡିଜିସିଏଙ୍କୁ ଚିଠି ଲେଖିଛି। ଶ୍ରୀ ପଣ୍ଡା ୧୫ ତାରିଖରେ ଅଭିଜିତ ଆୟାର ମିତ୍ର ଓ ଆରତି ଟିକୁ ସିଂଙ୍କୁ ଚିଲିକା ବୁଲାଇବାକୁ ନେଇଥିଲେ ଓ ଚିଲିକା ପାଣି ଉପରକୁ ବିମାନକୁ ଖସାଇ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରାଇଥିଲେ। ଯଦିଓ ସେ ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉ଼ଡାଇବାକୁ ଅନୁମତି ନେଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ।

ଜଣେ ଅଧିକାରୀ କହିଛନ୍ତି, ଶ୍ରୀ ପଣ୍ଡା ଅତି ତଳେ ଅର୍ଥାତ୍‌ ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ ଓ ଏହା ଅଭୟାରଣ୍ୟ ଅନ୍ତର୍ଗତ ଅଞ୍ଚଳ ହୋଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନ୍ତର୍ଗତ ଭାରତୀୟ ପିଙ୍ଗଳ କୋଡର ଦଫା ୨୭୭, ୨୭୮, ୩୩୬, ୪୩୧ ଓ ୧୧ ଏୟାରକ୍ରାଫ୍ଟ ଆଇନରେ ଏହି ମକଦ୍ଦମା ରୁଜୁ ହୋଇଛି। ପୁଲିସ ବ୍ଲାକ୍‌ ବକ୍ସ ସିଜ୍‌ କରି ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ବିଶେଷ କରି କେତେ ସମୟ ଶ୍ରୀ ପଣ୍ଡାଙ୍କ ବିମାନ ଚିଲିକା ଉପରେ ଉଡିଥିଲା, କେତେ ତଳକୁ ଖସିଥିଲା, ଚିଲିକାରେ ଅବତରଣ କରିଛି କି ନାହିଁ, ସର୍ବୋପରି କେଉଁ ସମୟରେ ଏହି ଘଟଣା ଘଟିଥିଲା, ତାହା ଜାଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଚିଲିକାରେ ସି-ପ୍ଲେନ୍‌ ଅବତରଣ କରିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ସମୟରେ
ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗିଥିଲେ। ରାଜ୍ୟର ସୁରକ୍ଷା ବ୍ୟବସ୍ଥା କିପରି ଅଛି ତାହା ଏଥିରୁ ଅନୁମେୟ ବୋଲି କହିଥିଲେ। କିନ୍ତୁ କାହା ପାଖରେ କିଛି ଉତ୍ତର ନଥିବାରୁ ଶ୍ରୀ ମିଶ୍ର ଉଠାଇଥିବା ପ୍ରସଙ୍ଗରେ କିଛି ବି ଉତ୍ତର ମିଳିନଥିଲା।

ଅନ୍ୟପକ୍ଷରେ, ଏହି ପ୍ରସଙ୍ଗକୁ ନେଇ ଆଜି ସରକାରୀ ତନାଘନା ଆରମ୍ଭ ହୋଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଏସିଏଫ୍‌ ବିନୋଦ ଆଚାର୍ଯ୍ୟ ଅରଖକୁଦା ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ଗତ ସେପ୍ଟେମ୍ବର ୧୫ତାରିଖ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଗୋଟିଏ ଧଳା ରଙ୍ଗର ଚପର୍‌ ଚିଲିକା ହ୍ରଦ ଉପରେ ଅଧିକ ଶବ୍ଦ କରି ବହୁ ନିକଟରେ ଉଡ଼ୁଥିଲା। ଚପର୍‌ଟି ଅବତରଣ କରିବାକୁ ପ୍ରୟାସ କରିଥିଲେ ହେଁ କରିପାରିନଥିଲା। ଚପର୍‌ର ପାଇଲଟ୍‌ ଏବଂ ଏଥିରେ ବସିଥିବା ବ୍ୟକ୍ତି ଚିଲିକା ପାଣି ପାଖାପାଖି ଏହାକୁ ଉଡ଼ାଉଥିବାରୁ ସ୍ଥାନୀୟ ବାସିନ୍ଦା, ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ। ଚିଲିକାର ମୁହାଣ ଅଞ୍ଚଳଟି ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏହାକୁ ନୋ-ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। କିନ୍ତୁ ଚପର୍‌ଟି ଏହି ଅଞ୍ଚଳରେ ବେଆଇନ ଭାବେ ଚକ୍କର କାଟିଥିଲା। ଏହାଦ୍ୱାରା ଚିଲିକାର ପାଣି ଅଶାନ୍ତ ହେବା ସହ ଯାତ୍ରୀ ଓ ମତ୍ସ୍ୟଜୀବୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏପରିକି ନାଭିଗେସନ୍‌ ରୁଟ୍‌କୁ ନଷ୍ଟ କରିବା ସହ ଚିଲିକାର ଫ୍ଲୋରା ଏବଂ ଫନା, ଡଲଫିନ୍‌ ଓ ମାଛଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଶ୍ରୀ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏନେଇ ଅରଖକୁଦା ଏବଂ ଏହା ନିକଟବର୍ତ୍ତୀ ଗ୍ରାମର ଲୋକଙ୍କ ସହ ଆଲୋଚନା କରିଥିଲି। ସେମାନେ କହିଛନ୍ତି ଯେ, ଧଳା ରଙ୍ଗର ଚପର୍‌ଟି ଚିଲିକାର ପ୍ରାୟ ୫ରୁ ୧୦ଫୁଟ ଉଚ୍ଚରେ ଉଡ଼ୁଥିଲା। ଯେହେତୁ ଏହା ସଂପୂର୍ଣ୍ଣ ବେଆଇନ୍‌ ଓ ଏହାଦ୍ୱାରା ଚିଲିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିବ। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛୁ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଏହି ଚପର୍‌ଟି କୋଷ୍ଟ ଗାର୍ଡର ନୁହେଁ ବୋଲି ସେମାନେ ନିଶ୍ଚିତ କରିଛନ୍ତି। ତେଣୁ ଏହା ଏକ ଘରୋଇ ଚପର୍‌ ହୋଇଥାଇପାରେ।

ଧଳା ଚପର୍‌ଟି ଚିଲିକାରେ ଚକ୍କର କାଟିଥିବା ନେଇ ଅଭିଯୋଗ ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। କାରଣ ପୂର୍ବରୁ ସାତକୋଶିଆରେ ବି ଆଇନ ଉଲ୍ଲଂଘନ କରି ଏହି ଚପର୍‌ ବୁଲିଥିବା ଅଭିଯୋଗ ହୋଇଥିଲା। ହେଲେ ସରକାର କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ତେବେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହା ସତ ନୁହେଁ। କେତେକ ଲୋକ ସତ ଘଟଣାକୁ ଟ୍ଵିଷ୍ଟ କରି ଏହା ଆମର ଥିଲା ବୋଲି କହିବାକୁ ଚେଷ୍ଟା କରୁଛନ୍ତି।

ଅପରପକ୍ଷେ ବୈଜୟନ୍ତ ପଣ୍ଡା ଆଜି ରାତିରେ ଟ୍ଵିଟ୍‌ କରି କହିଥିଲେ, ସେପ୍ଟେମ୍ବର ୧୫ (ଶନିବାର) ଅପରାହ୍ନ ୧ଟା ୩୦ରେ ଗୋଟିଏ ସି-ପ୍ଲେନ୍‌ ଚିଲିକାରେ ଅବତରଣ କରିଥିବା ନେଇ ମୁଁ ଖବରକାଗଜରୁ ପଢ଼ିଲି। ଏବେ ମୁଁ ସୂଚନା ପାଉଛି ଯେ, ଓଡ଼ିଶା ସରକାରଙ୍କ ଅଧିକାରୀମାନେ ସତ୍ୟକୁ ଟ୍ଵିଷ୍ଟ କରିବାକୁ ଚାହୁଁଛନ୍ତି ଏବଂ ମୋତେ ବିବାଦକୁ ଟାଣୁଛନ୍ତି। ଏହାପରେ ଆଉ ଏକ ଟ୍ଵିଟ୍‌ରେ କହିଛନ୍ତି ଯେ, ଶନିବାର ମୁଁ ଗୋଟିଏ ହେଲିକପ୍ଟର ଚଳାଇ ସକାଳ ୮ଟା ୪୫ରେ ବାହରିଥିଲି। ରାଜହଂସ – ପୁରୀ – କୋଣାର୍କ ହୋଇ ପୂର୍ବାହ୍ନ ୧୦ଟା ୨୮ରେ କେନ୍ଦ୍ରାପଡ଼ାରେ ଅବତରଣ କରିଥିଲି। କେନ୍ଦ୍ରାପଡ଼ାରୁ ୧୨ଟା ୫୦ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ ୧ଟା ୩୦ରେ ଅବତରଣ କରିଥିଲି।

ସମ୍ବନ୍ଧିତ ଖବର