ସମ୍ବଲପୁର: ବୁଧବାର ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧନୁପାଲି ଥାନା ଅଧିକାରୀ ଅନିତା ନାୟକଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ଓଡ଼ିଶା ପୁଲିସ୍ ସେବା ସଂଘ ନିନ୍ଦା କରିଛି। ସଂଘର ସମ୍ବଲପୁର ଶାଖା ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ପତ୍ରରେ କହାଯାଇଛି ଯେ ‘କର୍ତ୍ତବ୍ୟରେ ନିୟୋଜିତ ଜଣେ ମହିଳା ଅଧିକାରୀଙ୍କୁ ଅଶାଳୀନ ଆଚରଣ କରିବା ତଥା ଶାରୀରିକ ଆକ୍ରମଣ କରିବା ରାଜ୍ୟ ପୁଲିସ୍ର ସମସ୍ତଙ୍କୁ ବିଚଳିତ କରିଛି। ଏହି ନିନ୍ଦନୀୟ ଆକ୍ରମଣର ତୀବ୍ର ବିରୋଧ କରିବା ସହ ଆମେ ତାଙ୍କ ବିରୋଧରେ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛୁ।
ପୂର୍ବରୁ ସେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି। ପୂର୍ବରୁ ସେ ପୁଲିସ୍ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ସିଧାସଳଖ ଜଡ଼ିତ ଥିଲେ। ୨୦୨୨ ମସିହାରେ ମଧ୍ୟ ସେ ଜଣେ ଦଳିତ ବର୍ଗର ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ। ଏସବୁ ଅପରାଧିକ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ତ୍ବରିତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ’। ଏହି ଦାବିପତ୍ରରେ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାୟକ, ଧନୁପାଲି ଥାନା ଅଧିକାରୀ ଅନିତାରାଣୀ ପ୍ରଧାନ, ମହିଳା ଥାନା ଅଧିକାରୀ ରାଜେଶ୍ବରୀ ଭୋଇ, କ୍ଷେତରାଜପୁର ଏସ୍ଆଇ ମମତା ମିଶ୍ର, ଧନୁପାଲି ଥାନା ଏସ୍ଆଇ ଶୁଭସ୍ମିତା ରାୟ ପ୍ରମୁଖ ମହିଳା ପୁଲିସ୍ମାନେ ସ୍ବାକ୍ଷର କରିଛନ୍ତି।