କଟକ : ଚଳିତ ବର୍ଷ ଦେଶରେ ପୁଲିସ ବିଭାଗରେ ୩୭୯ ଜଣ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୯ ଜଣ। ଏହି ବୀର ସହିଦ ମାନଙ୍କୁ ଆଜି ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ତଥା ସମ୍ମାନ ଜଣାଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। କଟକ ପୁଲିସ ମୁଖ୍ୟାଳୟରେ ୫୮ତମ ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ ପାଳନ ଅବସରରେ ନିରବ ପ୍ରାର୍ଥନା, ଶୋକଶାସ୍ତ୍ର ତଥା ସଲାମିଶାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀର ଉପ ଦୁର୍ଗପତି ଅଶୋକ କୁମାର ଦେହୁରିଙ୍କ ନେତୃତ୍ୱରେ ପରେଡ୍ ପରିଚାଳିତ ହୋଇଥିଲା। ଏଥିରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ସାମିଲ ହୋଇଥିଲେ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ୫, ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୧, ବିହାରରେ ୧୨, ଛତିଶଗଡ଼ରେ ୨୩, ଦିଲ୍ଲୀରେ ୧୩, ଗୁଜରାଟରେ ୨, ଜାମ୍ମୁକାଶ୍ମୀରରେ ୪୨, ଝାଡଖଣ୍ଡରେ ୨, କର୍ଣ୍ଣାଟକରେ ୧୨, ମଧ୍ୟପ୍ରଦେଶରେ ୧, ମହାରାଷ୍ଟ୍ରରେ ୧, ମଣିପୁରରେ ୩, ମେଘାଳୟରେ ୨, ରାଜସ୍ଥାନରେ ୧, ତାମିଲନାଡୁରେ ୨, ଉତ୍ତରାଖଣ୍ଡରେ ୭, ଉତ୍ତରପ୍ରଦେଶରେ ୭୬, ପଶ୍ଚିମବଙ୍ଗରେ ୧୬ ଏବଂ ଓଡ଼ିଶାରେ ୯ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି।
ସେହିଭଳି ବିଏସ୍ଏଫ୍ରେ ୫୪, ସିଆଇଏସ୍ଏଫ୍ରେ ୧୩, ସିଆରପିଏଫ୍ରେ ୪୯, ଏଫ୍ଏସ୍ ଏବଂ ଏଚ୍ଜିରେ ୬, ଆଇଟିବିପିରେ ୧୧, ଏନ୍ଏସ୍ବିରେ ୨, ଏନ୍ଡିଆରଏଫ୍ରେ ୨, ଏସ୍ଏସ୍ବିରେ ୨, ଆରପିଏଫ୍ରେ ୯ ଜଣ ସହିଦ ହୋଇଛନ୍ତି। ଓଡ଼ିଶାରୁ ସହିଦ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ମେଜର ସୋମନାଥ ସିସା, ଡ୍ରାଇଭର ହାବିଲଦାର/୪୧୬ ତୁଳସୀ ମାଝି, ସହକାରୀ ଗାଡ଼ି ଚାଳକ/୫୮୮ ସୁବର୍ଣ୍ଣ କୁମାର ରାଜ, ସହକାରୀ ଗାଡ଼ି ଚାଳକ/୧୧୩ ସଂଜୟ କୁମାର ଦାସ, ଅରୁଣ କୁମାର ନାୟକ, ପ୍ରଦୀପ୍ତ କୁମାର ରାଉତ, ଗଣେଶ ପ୍ରସାଦ ସା, କମାଣ୍ଡୋ/୫୧ ଲକ୍ଷ୍ମୀକାନ୍ତ ଜାନି ଓ ଗ୍ରାମରକ୍ଷୀ ଜଗାରାଓ ଗୋମ୍ପାରାଏ।
୧୯୫୯, ଅକ୍ଟୋବର ୨୧ ତାରିଖରେ ଲଦାଖରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ସିଆରପିଏଫ୍ର କର୍ତ୍ତବ୍ୟରତ ୧୦ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିନକୁ ପ୍ରତ୍ୟେକ ବର୍ଷ ପୁଲିସ ସହିଦ ଦିବସ ଭାବେ ପାଳନ କରାଯାଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Police-Sahid-Divasa2.jpg)