ମାଲକାନଗିରି: ନକ୍ସଲ ଆନ୍ଦୋଳନକୁ ଉଜ୍ଜୀବିତ ରଖିବାକୁ ସଂଗଠନ ପକ୍ଷରୁ ସହିଦସ୍ତମ୍ଭ ସ୍ଥାପନର ନଜିର ରହିଛି। ନିହତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ହେଉ କିମ୍ବା କୌଣସି ଉତ୍ସବ ଏହି ସ୍ତମ୍ଭ ନିକଟରେ ହିଁ ସଂଗଠନ ଆୟୋଜନ କରେ। ସାଥୀଙ୍କ ପ୍ରତି ଉତ୍ସର୍ଗ ସ୍ତମ୍ଭ ସଂଗଠନ ପାଇଁ ସବୁବେଳେ ମହତ୍ତ୍ବ ରଖିଥାଏ। ତେଣୁ ସଂଗଠନକୁ ସିଧା ତଥା କଡ଼ା ବାର୍ତ୍ତା ଦେବାକୁ ହେଲେ ସୁରକ୍ଷାକର୍ମୀ ପ୍ରଥମେ ଏହି ସ୍ତମ୍ଭକୁ ହିଁ ଧ୍ବଂସ କରୁଛନ୍ତି। ତେବେ ସୀମାନ୍ତ ଛତିଶଗଡ଼ରୁ ଗୋଟିଏ ହୃଦୟସ୍ପର୍ଶୀ ଘଟଣା ନଜରକୁ ଆସିଛି। ବଞ୍ଚିଥିବା ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ସବୁବେଳେ ଟାର୍ଗେଟ କରୁଥିବା ଜଣେ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ପ୍ରତିମୂର୍ତ୍ତିକୁ ପୁଲିସ ମାନବିକତା କାରଣରୁ ଭାଙ୍ଗିନାହିଁ।
ବିଜାପୁର ଜିଲ୍ଲା ଆମ୍ବାବେଡ଼ା ଗାଁର ସୋମଜୀ ନକ୍ସଲ ଆନ୍ଦୋଳନରେ ପ୍ରଭାବିତ ହୋଇ ସଂଗଠନରେ ସାମିଲ ହୋଇଥିଲେ। ଦକ୍ଷତା ଦେଖି ସଂଗଠନ ତାଙ୍କୁ ଡିସିଏମ୍ ପଦବି ଦେଇଥିଲା। ବୋମା ଖଞ୍ଜିବାରେ ଓସ୍ତାଦ ସୋମଜୀ ସୁରକ୍ଷାକର୍ମୀଙ୍କ କ୍ଷତି ଘଟାଇବା ପାଇଁ ଅନେକଥର ବିସ୍ଫୋରଣ କରିଥିଲେ। ତେବେ ଏହି ବୋମା ହିଁ ଦିନେ ତାଙ୍କ ଜୀବନ ନେଇଥିଲା। ୨୦୨୧ ମସିହା ଫେବ୍ରୁଆରି ୧୮ତାରିଖରେ ବୋମା ଖଞ୍ଜିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ଶରୀରର କୌଣସି ଅଂଶ ସୁଦ୍ଧା ମିଳିନଥିଲା। ଜଣେ ଦକ୍ଷ ସାଥୀଙ୍କୁ ହରାଇଥିବାରୁ ତାଙ୍କ ସ୍ମରଣରେ ଗୋଟିଏ ମୂର୍ତ୍ତି ନିର୍ମାଣ କରିବାକୁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କ ପରିବାରକୁ ଏଥିପାଇଁ ପ୍ରସ୍ତାବ ଦେଇ ସହଯୋଗ ମଧ୍ୟ କରାଯାଇଥିଲା। ଭାଇ ରାମୁ ଏବଂ ପରିବାର ଲୋକ ଗାଁରେ ସୋମଜୀଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ଗ୍ରାମବାସୀ ମଧ୍ୟ ଏଥିରେ ସେମାନଙ୍କୁ ସହାୟତା କରିଥିଲେ।
ପୁଲିସ ନିକଟରେ ଏହି ଖବର ପହଞ୍ଚିଥିଲା। ପୁଲିସ ଦିନେ ଗାଁକୁ ଯାଇ ମୂର୍ତ୍ତି ଦେଖିଥିଲା। ପରିବାର ଲୋକ ମୂର୍ତ୍ତି ଭଙ୍ଗାଯିବ ବୋଲି ଆଶଙ୍କା କରିଥିଲେ। କିନ୍ତୁ ପରିବାରର ଆବେଗକୁ ବୁଝିପାରିଥିବା ପୁଲିସ ସେମିତି କିଛି କରିନଥିଲା। ଏହାରି ମଧ୍ୟରେ ଗାଁକୁ ସୁରକ୍ଷାକର୍ମୀ ଅନେକଥର ଅପରେସନ୍ରେ ଯାଇଛନ୍ତି। କିନ୍ତୁ ପ୍ରତିମୂର୍ତ୍ତି ପ୍ରତି କେବେ ଧ୍ୟାନ ଦେଇନାହାନ୍ତି। ଏପରିକି ମୂର୍ତ୍ତି ଭାଙ୍ଗିବେ ନାହିଁ ବୋଲି ମଧ୍ୟ ସୁରକ୍ଷାକର୍ମୀ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିବର୍ଷ ସୋମଜୀଙ୍କ ଜନ୍ମ ଓ ସହିଦ ଦିବସ ଅବସରରେ ମୂର୍ତ୍ତି ନିକଟରେ ସ୍ମୃତିଚାରଣ କରାଯାଉଛି। ଏପରିକି ରାଖିପୂର୍ଣ୍ଣିମାରେ ନକ୍ସଲ ଆସି ମୂର୍ତ୍ତି ହାତରେ ରାଖି ବାନ୍ଧୁଛନ୍ତି।