ଜଳେଶ୍ଵର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ଵର ଏସପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ।କାମ ସାରି ନିଜର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାମରେ ଯୋଗଦେଇ ଥାନ୍ତେ। ହେଲେ ଏସପି ଅଫିସରେ ହୃଦଘାତରେ ଶୀକାର ହୋଇ ଆରପାରିକୁ ଚାଲି ଯାଇଛନ୍ତି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ କମର୍ଦ୍ଦା ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ରାଧାଗୋବିନ୍ଦ ମଢୁଆଳ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।ତାଙ୍କ ମୃତ୍ୟୁରେ କମର୍ଦ୍ଦା ଅଞ୍ଚଳ ସହିତ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କମର୍ଦ୍ଦା ଥାନାରେ ତାଙ୍କର ପାଖାପାଖି ୩ ବର୍ଷର ଚାକିରୀ କାଳ ସମୟରେ ଶ୍ରୀ ମଢୁଆଳ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଜନ ସମ୍ପର୍କ ରକ୍ଷା ପାଇଁ ମଧ୍ୟ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ।
ଗତକାଲି ଶୁକ୍ରବାର ସେ କମର୍ଦ୍ଦା ଥାନାରୁ ଅଫିସ କାମରେ ବାଲେଶ୍ଵର ଏସପି ଅଫିସକୁ ଯାଇଥିଲେ। କାମ ସରିବା ପରେ ସେ ନିଜର ଜଣେ ସମ୍ପର୍କୀୟଙ୍କ ବ୍ରତଘରକୁ ଯାଇଥାନ୍ତେ। ସେଥିପାଇଁ ସେ ଏସପି ଅଫିସକୁ ଯିବା ପୂର୍ବରୁ ବାଲେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ନିଜ ପତ୍ନୀଙ୍କୁ ଛାଡି ଆସିଥିଲ। ଏହାପରେ ଏସପି ଅଫିସକୁ ଯାଇ କାମ ସାରି ଫେରୁଥିବା ସମୟରେ ଅଫିସ ହତା ମଧ୍ୟରେ ହିଁ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ପୁଣି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ରାତି ୧୧ ଟା ୪୫ ମିନିଟ ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ତାଙ୍କ ବିୟୋଗରେ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ, କମର୍ଦ୍ଦା ଆଇଆଇସି ପ୍ରେମଦା ନାୟକ,ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀ, ସାମ୍ବାଦିକ ନରନାରାୟଣ ମିଶ୍ର, ଅଂଶୁମାନ ରାଉତ, ସମାଜସେବୀ ଷଡାନନ ଜେନା, ଆଇନଜୀବୀ ବିଜନ ଦେ,ବରିଷ୍ଠ ନେତା ଯୋଗେନ୍ଦ୍ର ପାଳ, ପ୍ରାକ୍ତନ ସରପଂଚ ଗୋପାଳ ଚନ୍ଦ୍ର ମୁଖୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Police-ASI-Dies-on-Heart-Attack_Thumbnail.jpg)