କଟକ: ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ଏହି କେଳେଙ୍କାରୀରେ ସଂପୃକ୍ତ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଛନ୍ତି। ଅପରାଧ ସିଣ୍ଡିକେଟର ମୁଖ୍ୟ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ବାଲେଶ୍ବରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା ପାଇଁ ଓ ଦୀଘାରେ ଶିକ୍ଷକଙ୍କ ରହଣି ଉଦ୍ଦେଶ୍ୟରେ ଚାରି ଦିନ ପାଇଁ ଦୁଇଟି ହୋଟେଲ୍ ବୁକ୍ କରିଥିଲା। ସେଠାରେ ସେମାନଙ୍କୁ ପୁଲିସ ଏସ୍‌ଆଇ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥାନ୍ତା। ଦୀଘା ହୋଟେଲରେ ଆଶାୟୀ ରହିବା ପାଇଁ ୩୫ ହଜାର ଟଙ୍କା ଅଗ୍ରିମ ବି ଦିଆଯାଇଥିଲା। କିନ୍ତୁ ୨୯ ତାରିଖ ରାତିରେ ବିଜୟନଗରମ ଯିବା ରାସ୍ତାରେ ୧୧୪ ଆଶାୟୀ ଓ ତିନି ଦଲାଲଙ୍କୁ ଗିରଫ କରାଯିବା ପରେ ପଶ୍ଚିମବଙ୍ଗ ଯାଉଥିବା ୧୧୦ ପ୍ରାର୍ଥୀ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସିଣ୍ଡିକେଟ୍ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଗୁଜୁରାଟର ପ୍ରଶ୍ନପତ୍ର କେଳେଙ୍କାରୀରେ ବି ସାମିଲ ଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। 

Advertisment

୧୧୪ ଧରାପଡ଼ିଯିବାରୁ ଫେରାର ହୋଇଗଲେ କୋଲକାତା ଯାଉଥିବା ୧୧୦ ପରୀକ୍ଷାର୍ଥୀ
ଦୀଘା ହୋଟେଲ୍‌ରେ ପ୍ରାର୍ଥୀଙ୍କ ରହିବା ପାଇଁ ନିଆଯାଇଥିଲା ରୁମ୍‌ 
ମୋଟ ଗିରଫ ସଂଖ୍ୟା ୧୨୩
ଟିପର୍, ସ୍କର୍ପିଓ, ଥର୍‌ ଗାଡ଼ି ଜବତ

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପ୍ରସ୍ତୁତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟିର ପତ୍ତା ମିଳୁନଥିବା ବେଳେ ଗିରଫ ୪ ଜଣଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ହାସଲ କରିଛି। କଟକ ଜିଲ୍ଲା ବୈଦେଶ୍ବର ଥାନା କଳାପଥର ଅଞ୍ଚଳର ମୁନା ମହାନ୍ତି(୩୨) ଭୁବନେଶ୍ବର ଖଣ୍ଡଗିରି ଥାନା ଜାଗମରାର ଅମିତ ନଗରରେ ଏକ କୋଠାରେ ରହୁଥିଲା। ଭୁବନେଶ୍ବର ପଟିଆରେ ଶଙ୍କର ପୃଷ୍ଟିର ମାଲିକାନାରେ ଚାଲୁଥିବା ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡରେ ମୁନା ସମେତ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ(୩୪), ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା ନାବରା ଅଞ୍ଚଳର ଅରବିନ୍ଦ ଦାସ(୪୩), କଟକ ଜିଲ୍ଲା ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା(୨୯), ଦଶପଲ୍ଲାର ଟି. ଅଭିମନ୍ୟୁ ଦୋରା, ଢେଙ୍କାନାଳ ଜିଲ୍ଲା ମୁକୁନ୍ଦପୁରର ପ୍ରୟଦର୍ଶିନୀ ସାମଲ ସାମିଲ ଥିଲେ। ଶଙ୍କର ଦିଲ୍ଲୀରେ ରହି ପୁରା ସିଣ୍ଡିକେଟକୁ ନିୟନ୍ତ୍ରଣ କରୁଥିଲା। ବିଶ୍ବରଞ୍ଜନ ଓଡ଼ିଶା ପୁଲିସ ବାଟାଲିୟନରେ ସିପାହୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କ୍ରାଇମବ୍ରାଞ୍ଚ ମୁନା, ଶ୍ରୀକାନ୍ତ, ଅଭିମନ୍ୟୁ ଓ ପ୍ରିୟଦର୍ଶିନୀକୁ ଗିରଫ କରିଛି।

ଏହି ଅପରାଧ ସିଣ୍ଡିକେଟରେ ଦକ୍ଷିଣ ଓଡ଼ିଶାକୁ ମୁନା ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ସମ୍ଭାଳୁଥିଲା। ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ। ବିଶ୍ବରଞ୍ଜନ ଏଜେଣ୍ଟ ଭାବେ କାମ କରୁଥିଲା। ଅଭିମନ୍ୟୁ ନିଜର ଦଶପଲ୍ଲା-ବୌଦ୍ଧ ସୀମାନ୍ତର ଚଡ଼େୟାପଲ୍ଲୀ ଫାର୍ମହାଉସରେ ମୁନା ଓ ଶ୍ରୀକାନ୍ତଙ୍କୁ ଆଶ୍ରୟ ଦେବା ସହିତ ସମସ୍ତ ଆଇନଗତ କାର୍ଯ୍ୟକଳାପ ବୁଝୁଥିଲା। ପ୍ରିୟଦର୍ଶିନୀ ସାମଲ ବି ଜଣେ ଏଜେଣ୍ଟ ଥିଲା। ପ୍ରତି ଆଶାୟୀଙ୍କ ଠାରୁ ୨୦ରୁ ୨୫ ଲକ୍ଷ ଟଙ୍କା ନେବାକୁ ଶଙ୍କର ଡିଲ୍ କରିଥିଲା। ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ଆସି ନୟାଗଡ଼, ବ୍ରହ୍ମପୁର, ନୂଆପଡ଼ା ଇତ୍ୟାଦି ଜିଲ୍ଲାର ଆଶାୟୀମାନେ ରହିଥିଲେ। ଶ୍ରୀକାନ୍ତ ଆଶାୟୀଙ୍କୁ ଏକାଠି କରି ସେଦିନ ବିଜୟନଗରମ୍ ଅଭିମୁଖେ ବାହାରିଥିଲା। ମୁନା ତିନୋଟି ବସ୍ ବୁକ୍ କରିଥିଲା। ଭୁବନେଶ୍ବରରେ କେଏସ୍‌ଏନ୍ ଟୁର୍ ଏବଂ ଟ୍ରାଭେଲ୍ସରେ ତୁଳସୀ ଟୁର୍ ଏବଂ ଟ୍ରାଭେଲ୍ସର ବସ୍ ବୁକ୍ କରାଯାଇଥିଲା। ଅକ୍ଟୋବର ୨୭ ତାରିଖରେ ବସ୍ ବୁକିଂ ବାବଦ ୨ ଲକ୍ଷ ୩୦ ହଜାର ଟଙ୍କା ମୁନା ନିଜ ବ୍ୟାଙ୍କ ଆକାଉଣ୍ଟ ଓ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଇଥିଲା। ୨୯ ତାରିଖରେ ଖଣ୍ଡଗିରି ନିକଟରେ ୧୧୪ ଆଶାୟୀ ବସ୍‌ରେ ଚଢ଼ିଥିଲେ। ହୋଟେଲରୁ ଖଣ୍ଡଗିରି ଯାଏଁ ଆଶାୟୀଙ୍କୁ ମୁନାର ସ୍କର୍ପିଓରେ ସ୍ଥାନାନ୍ତର କରାଯାଇଥିଲା।  ବିଜୟନଗରମ୍ ବସ୍‌ରେ ମୁନା ନିଜର ତିନି ଜଣ ଏଜେଣ୍ଟଙ୍କୁ ପଠାଇଥିଲା। ମୁନା ବିଜୟନଗରମ୍ ଯାଇ ସେଠାରେ ଆଶାୟୀଙ୍କ ରହିବା ବ୍ୟବସ୍ଥା କରିଥିଲା। ୩୦ ତାରିଖରେ ପୁଲିସ ଏହି ବସ୍‌ଗୁଡ଼ିକୁ ଜବତ ପରେ ମୁନା ଓ ସହଯୋଗୀମାନେ ଫେରାର ହୋଇଯାଇଥିଲେ। ମାଷ୍ଟରମାଣ୍ଡ ଶଙ୍କର ଇତିମଧ୍ୟରେ ତିନୋଟି ସ୍ଥାନ ବଦଳାଇ ସାରିଲାଣି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଦୁଇଟି ଟିପର୍, ଗୋଟିଏ ସ୍କର୍ପିଓ, ମହିନ୍ଦ୍ରା ଥର, ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଓ ୧୫୦ଟି ଡିଜିଟାଲ୍ ଉପକରଣ ଜବତ କରିଛି। ମୋଟ ୧୨୩ ଜଣ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି। ଡିଆଇଜି ବି. ଗଙ୍ଗାଧରଙ୍କ ନେତୃତ୍ବରେ ଦୁଇ ଜଣ ଏସ୍‌ପିଙ୍କ ସମେତ ୪୦ ଅଫିସର ତଦନ୍ତରେ ସାମିଲ ହୋଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।