କଟକ: ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରାଥମିକ ପର୍ଯ୍ୟାୟରେ ୧୧୭ ପରୀକ୍ଷାର୍ଥୀ ଓ ଦୁଇ ଦଲାଲଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ତଦନ୍ତ ବେଳେ ଗିରଫ କରାଯାଇଛି। ଏହି କେଳେଙ୍କାରୀରେ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ପାଇଁ ଡିଲ୍ ହୋଇଥିବା ଅଭିଯୋଗ ରହିଛି। ଏହି ଜାଲିଆତିରେ ବହୁ ପ୍ରଭାବଶାଳୀ ଓ ଉଚ୍ଚ ପଦପଦବିରେ ଥିବ‌ା ବ୍ୟକ୍ତିବିଶେଷ ସଂପୃକ୍ତ ଥିବା କୁହାଯାଉଛି। ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାରେ ଜଣେ ପୂର୍ବତନ ଡିଆଇଜିଙ୍କ ପୁଅର ସଂପୃକ୍ତ ଥିବା ନେଇ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା। 

Advertisment

ଏହି ଆପରାଧିକ ଘଟଣାର ଚେର ରାଜ୍ୟ ବାହାରକୁ ଲମ୍ବିଛି। ଏହା ଏକ ସଂଗଠିତ ଅପରାଧ ଓ ଏଥିରେ ଶତାଧିକ ବ୍ୟକ୍ତି ସଂପୃକ୍ତ ରହିଛନ୍ତି। ଏପରି ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣା ପଛରେ ଯେଉଁମା‌ନେ ଅଛନ୍ତି ସମସ୍ତଙ୍କ ଭୂମିକା ସାମନାକୁ ଆସିବା ଜରୁରି। ଏପରି ଜାଲିଆତି ଘଟଣା ପରେ ସରକାରୀ ଚାକିରି ପାଇଁ ଆଶା କରି ରହିଥିବା ବେ‌କାର ଶିକ୍ଷିତ ଯୁବକଯୁବତୀ ଆଜି ହତାଶ। ପରଦା ପଛରେ ରହିଥିବା ବ୍ୟକ୍ତିବିଶେଷଙ୍କ ଭୂମିକା ସ୍ପଷ୍ଟ କରିବାକୁ ହେଲେ ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ନିଯୁକ୍ତି ଜାଲିଆତି ଭଳି ଗୁରୁତ୍ବପୂର୍ଣ୍ଣ ଘଟଣାର ସ୍ବଚ୍ଛ, ନିରପେକ୍ଷ ତଦନ୍ତ ହେବା ଉଚିତ। ତେଣୁ ସ୍ବାଧୀନ ତଥା ନିରପେକ୍ଷ ତଦନ୍ତ ପାଇଁ ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ତଦନ୍ତର ଷ୍ଟାଟସ୍ ରିପୋର୍ଟ ତଲବ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ଓପିଆରବି ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି।