ଭୁବନେଶ୍ବର: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା ସିବିଆଇକୁ ହସ୍ତାନ୍ତର ପରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ପ୍ରଥମେ ଆଶାୟୀମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ଗତକାଲି ୪ ଜଣଙ୍କୁ ପଚରାଉଚରା କରିଥିବା ବେଳେ ଆଜି ଆଉ ୬ ଜଣଙ୍କୁ ପଚରାଉଚରା କରିଛି। ଆଗକୁ ଆହୁରି ଆଶାୟୀଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଏବେ ସୁଦ୍ଧା ମୋଟ୍ ୧୦ ଜଣଙ୍କୁ ସମନ କରାଯାଇ ପଚରାଉଚରା କରାଯାଇଛି। ଆଜି ପୂର୍ବାହ୍ଣରୁ ୨ ଜଣଙ୍କୁ ଓ ଅପରାହ୍ଣରେ ଆଉ ୪ ଜଣଙ୍କୁ ପଚରାଉଚରା ପରେ ସନ୍ଧ୍ୟାରେ ସେମାନଙ୍କୁ ମୁହାଁମୁହିଁ ଭାବେ ମୋଟ୍ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଜେରା ବେଳେ ସେମାନେ କାହା ମଧ୍ୟସ୍ଥତାରେ ଟଙ୍କା ଦେଇଥିଲେ? କେଉଁ ଉପାୟରେ ଟଙ୍କା ଦେଇଥିଲେ? କାହାକୁ ଟଙ୍କା ଦେଇଥିଲେ? ସମୁଦାୟ କେତେ ଟଙ୍କା ଦେବା ପାଇଁ କଥା ଛିଡ଼ି ଥିଲା? କେଉଁ କାରଣରୁ ଦଲାଲମାନଙ୍କୁ ବିଶ୍ବାସ କରି ଟଙ୍କା ଦେଇଥିଲେ ଆଦି ପ୍ରଶ୍ନ ସିବିଆଇ ପକ୍ଷରୁ ପଚରାଯାଇଥିଲା।
ବହୁ ନେତା ଓ ଅଧିକାରୀଙ୍କ ସହିତ ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏଥିରେ ସାମିଲ ଥିବା ଆଶାୟୀମାନଙ୍କଠାରୁ ଜାଣିବାକୁ ପାଇଛି। କିଛି କୋଚିଂ ସେଣ୍ଟରର ମାଲିକ, କର୍ମଚାରୀ ଓ ଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭିତ କରିଥିବା ସିବିଆଇ ଜାଣିବାକୁ ପାଇଛି। ତେଣୁ ପ୍ରମାଣ ପାଇଁ ହ୍ବାଟସ୍ଆପ୍ ଚାଟ୍ ଓ ମୋବାଇଲ ରେକର୍ଡଂ ମଧ୍ୟ ଆଶାୟୀମାନଙ୍କଠାରୁ ଜବତ କରିଛି। ଏହାସହିତ ଆଗକୁ କିଛି ଅଭିଭାବକଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ ବୋଲି ସିବିଆଇ ପକ୍ଷରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସିବିଆଇ ଟିମ୍ ଆନ୍ଧ୍ରପ୍ରଦେଶ ଯାଇ ତନାଘନା କରିବ ବୋଲି ଜଣାପଡ଼ିଛି। କେଉଁ ପର୍ଯ୍ୟନ୍ତ ଏହି କେଳେଙ୍କାରୀର ଚେର ଲମ୍ବିଛି ତାହା ଜାଣିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ଆଶାୟୀମାନଙ୍କୁ ନିଆଯାଉଥିବା ସ୍ଥାନକୁ ଯାଇ ସିବିଆଇ ଟିମ୍ ଖୋଳତାଡ଼ କରିବ। ପଶ୍ଚିମବଙ୍ଗରେ ଟଙ୍କା ନେଣଦେଣ ହୋଇଥିବାରୁ ସେଠାକାର ପୁଲିସ ସହିତ ସିବିଆଇ ସମ୍ପର୍କରେ ରହିଛି। ମାମଲାର ମୁଖ୍ୟ କାର୍ପଟଦାର ଶଙ୍କରପୃଷ୍ଟିକୁ ଉତ୍ତରାଖଣ୍ଡରୁ ଗିରଫ କରଯାଇଥିଲା। ତେଣୁ ଅନ୍ୟ ରାଜ୍ୟର ପୁଲିସ ସହ ମଧ୍ୟ ସିବିଆଇ ସମ୍ପର୍କରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/cPjhdTfmJzveKdzZ4WfZ.jpeg)