ଚାକିରି ଜୀବନ ଆରମ୍ଭରୁ ଲାଞ୍ଚ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ଏସ୍‌ଆଇ

ଜଗନ୍ନାଥପ୍ରସାଦ : ମାମଲା ରଫାଦଫା କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର କ୍ୟାଡ଼େଟ୍ ଏସ୍‌ଆଇ (ଡେପୁଟେସନ୍) ସିଦ୍ଧାର୍ଥ କୁମାର ଗୌଡ଼। ଅଭିଯୋଗକାରୀ ତଥା ରାଉତି ଗ୍ରାମର ପି.ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ୍ ଅଧିକାରୀ ମାନେ ତାଙ୍କୁ କାବୁ କରିନେଇଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ରେ କେସ୍ ନମ୍ବର ୮/୨୦‌ରେ ମାମଲା ରୁଜୁ ସହ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଛି। ଏହାସହ ତାଙ୍କ ନିଜ ଗାଁ ରାଉତିସ୍ଥିତ ବାସଭବନରେ ଛାନ୍‌ଭିନ୍ ଜାରି ରହିଥିବା ସୂଚନା ମିଳିଛି। ସିଦ୍ଧାର୍ଥ ବର୍ତ୍ତମାନ କୋଭିଡ୍ ଡ୍ୟୁଟି ପାଇଁ ଜଗନ୍ନାଥପ୍ରସାଦ ଥାନାରେ ଡେପୁଟେସନ୍‌ରେ ଥିଲେ।

ମିଳିଥିବା ସୂଚନାନୁସାରେ, ଅଭିଯୋଗକାରୀ ପି.ରାଜା ସେନାପତି ହେଉଛନ୍ତି ରାଉତି ସରପଞ୍ଚ ପି.ରଶ୍ମିତା ସେନାପତିଙ୍କ ସ୍ବାମୀ। ଗତ ୨୧ ତାରିଖରେ ଜଗନ୍ନାଥପାଟଣା ଗ୍ରାମବାସୀ ରାଜାଙ୍କ ବିରୋଧରେ ଏକ ସଙ୍ଗିନ୍ ଅଭିଯୋଗ ଆଣି ଜଗନ୍ନାଥପ୍ରସାଦ ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଥିଲେ। ତେବ‌େ ମାମଲା ରୁଜୁ ନକରି ଘଟଣାର ସମାଧାନ କରାଇ ରଫାଦଫା ପାଇଁ ସିଏସ୍‌ଆଇ ସିଦ୍ଧାର୍ଥ ଶେଷରେ ରାଜାଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ନିଜର କିଛି ଭୁଲ୍ ନଥିବାରୁ ଟଙ୍କା ଦେବା ଲାଗି ରାଜା ରାଜି ହୋଇ ନଥିଲେ। ଫଳରେ ଅନ୍ୟ ମାମଲାରେ ଫସାଇ ଗିରଫ କରିବାକୁ ସିଦ୍ଧାର୍ଥ ତାଙ୍କୁ ଧମକ ଦେଇଥିଲେ। ଲାଞ୍ଚ ଦେବାକୁ ରାଜା ରାଜି ହେବା ସହ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ର ଦ୍ବାରସ୍ଥ ହୋଇଥିଲେ।

ଆଜି ଅପରାହ୍‌ଣ ୧୨ଟା ୧୫ରେ ରାଜା ଜଗନ୍ନାଥପ୍ରସାଦ ଥାନା ବାହାରେ ସିଦ୍ଧାର୍ଥଙ୍କୁ ୩ହଜାର ଟଙ୍କା ଦେଇଥିଲେ। ସିଦ୍ଧାର୍ଥ ଥାନା ଭିତରକୁ ପଶିବା କ୍ଷଣି ଭିଜିଲାନ୍ସ୍ ଅଧିକାରୀ ମାନେ ତାଙ୍କୁ କାବୁ କରିନେଇ ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ଅତିରିକ୍ତ ଏସ୍‌.ପି ଶାନ୍ତନୁ ପାଢ଼ୀଙ୍କ ନେତୃତ୍ବରେ ଇନସପେକ୍ଟର୍ ବୈଦେହୀ ବେହେରା ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର