ପୁଲିସ୍ ଭ୍ୟାନ୍ ପୋଡ଼ି ଘଟଣା : ଏସ୍ଆଇ ମନୋଜ ପଣ୍ଡା ନିଲମ୍ବିତ

ଯାଜପୁର/ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଥାନା ଅଧୀନ ଭରତପୁର ପଞ୍ଚାୟତ ମାତାମଠ ପୋଲ ଛକରେ ଗତ ୬ତାରିଖ ସଂଧ୍ୟାରେ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଦୁଇ ଦୁଇଟି ଭ୍ୟାନ୍ ପୋଡ଼ି ଘଟଣାସ୍ଥଳରେ ନିରବଦ୍ରଷ୍ଟା ସାଜିଥିବା ଏସଆଇ ମନୋଜ କୁମାର ପଣ୍ଡାଙ୍କୁ ଆଜି ନିଲମ୍ବନ କରାଯାଇଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅନନ୍ତନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କ ଜାମିନ ମଞ୍ଜୁର ହୋଇଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ତଥା ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିବା ପୁଲିସ ତାଙ୍କ ଘରେ ଆଜି ଲଟକା ଜାରି କରିଛି। ମାତ୍ର ମିଟୁ ଇତିମଧ୍ୟରେ ହାଇକୋର୍ଟର ଦ୍ବାରସ୍ଥ ହୋଇ ୨୯ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ଗିରଫ କରିପାରିିବ ନାହିଁ ବୋଲି ଏକ ମଧ୍ୟବର୍ତ୍ତୀକାଳୀନ ରାୟ ନିଜ ସପକ୍ଷରେ ହାସଲ କରି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୬ତାରିଖରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଥିଲା। ନାଣ୍ଡୁ ଗୋଷ୍ଠୀ ଶୋଭାଯାତ୍ରାରେ ଆସି ଭରତପୁର ମାତାମଠ ପୋଲ ଛକ ଉପରେ ମିଟୁ ସମର୍ଥକ ବିରଞ୍ଚି ସେଠୀକୁ ମାଡ଼ ମାରି ମୁମୂର୍ଷୁ କରି ଦେଇଥିଲେ। ଘଟଣା ପୂର୍ବରୁ ଏସଆଇ ଶ୍ରୀ ପଣ୍ଡା ୨ଟି ଭ୍ୟାନରେ ଫୋର୍ସ ନେଇ ସେଠାରେ ଉପସ୍ଥିତ ଥିଲେ। ତେବେ, ଏଇ ସମୟରେ ଗୋଟିଏ ଗୋଷ୍ଠୀର କିଛି ଉ‌ତ୍ତ୍ୟକ୍ତ ଲୋକ ଦୁଇ ଦୁଇଟି ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଫୋର୍ସ ଭୟରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।

ସମ୍ବନ୍ଧିତ ଖବର