କଟକ: ପୁଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ଆଶାୟୀଙ୍କୁ ଆଶ୍ବସ୍ତି ମିଳିଛି। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ସବୁ ବର୍ଗ ପାଇଁ ୩ ବର୍ଷ କୋହଳ କରାଯାଇଛି। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୮ ବର୍ଷ ଓ ସଂରକ୍ଷିତ ବର୍ଗ ପାଇଁ ୩୩ ବର୍ଷ ହୋଇଛି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ପୁଲିସ ଏସ୍‌ଆଇ ଓ ସମାନ ପଦବି ପାଇଁ ସବୁ ବର୍ଗ ଲାଗି ୩ ବର୍ଷ ସର୍ବାଧିକ ବୟସସୀମା କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ପ୍ରାର୍ଥୀ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରି ପାରିବେ। ଏଥି ପାଇଁ ଓପିଆର୍‌ବି ଆବଶ୍ୟକ ବ୍ୟବସ୍ଥା 

Advertisment

ଗ୍ରହଣ କରିବ। ଅନ୍ୟପକ୍ଷରେ ଯେଉଁ ପ୍ରାର୍ଥୀମାନେ ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଦରଖାସ୍ତ ଦାଖଲ କରି ସାରିଛନ୍ତି, ସେମାନେ ଆଉ ଥରେ ଆବେଦନ କରିବା ଆବଶ୍ୟକ ନାହିଁ। ଏପରି ‌କୋହଳ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଦରଖାସ୍ତକୁ ବିଚାରକୁ ନିଆଯିବ ବୋଲି ଆଡଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁପୁନ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ, ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ତରଫରୁ ୨୦୨୫, ଜାନୁଆରି ୧୭ରେ ୬୦୯ଟି ପୁଲିସ ସବ୍-ଇନ୍ସପେକ୍ଟର, ୨୫୩ଟି ପୁଲିସ ସବ୍-ଇନ୍ସପେକ୍ଟର (ଆର୍ମଡ୍), ୪୭ ଷ୍ଟେସନ୍‌ ଅଫିସର (ଅଗ୍ନିଶମ ବିଭାଗ) ଓ ୨୪ଟି ସହକାରୀ ଜେଲର୍‌ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବୋଚ୍ଚ ବୟସ ସୀମା ୨୫ ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିଲା। ତେବେ ସାଧାରଣ ବର୍ଗର ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମାକୁ ନେଇ ଆପତ୍ତି ଉଠାଇଥିଲେ। ଶେଷଥର ୨୦୧୮-୧୯ରେ ଓଡ଼ିଶା ପୁଲିସରେ ଏସ୍‌ଆଇ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥ‌ିଲେ। ମହାମାରୀ ସଂକ୍ରମଣ ବେଳେ ପ୍ରାୟ ତିନିବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିଲା। ଅନ୍ୟ କେତେକ ସରକାରୀ ଚାକିରିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇଥିବା ନଜିର ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମଦନମୋହନ ଦାସ ମାମଲା ପରିଚାଳନା କରୁଥିଲେ।