ପୁଲିସ ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟା: ଅଗଷ୍ଟ ୬ରୁ ୧୬ ମଧ୍ୟରେ ପରୀକ୍ଷା, ବଦଳିଛି ଢାଞ୍ଚା

କଟକ: ଓଡ଼ିଶା ପୁଲିସ ତରଫରୁ ୪୭୭ ଜଣ ସବ୍-ଇନସପେକ୍ଟର ପଦବି ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ଆଜିଠାରୁ ‘ଅନଲ‌ାଇନ୍‌ ଆପ୍ଲିକେସନ୍‌’ ପୋର୍ଟାଲ ମାଧ୍ୟମରେ ପ୍ରାର୍ଥୀମାନେ ଆବେଦନ କରୁଛନ୍ତି। ଆଜି ପ୍ରଥମଦିନ ମଧ୍ୟା‌ହ୍ନ ୧୨ଟା ସୁଦ୍ଧା‌ ୨୮୩୧ ଜଣ ଏହି ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବା ବେଳେ ୭୭୨ଜଣ ସେମାନଙ୍କ ସମସ୍ତ ପ୍ରମାଣପତ୍ର ଅପଲୋଡ୍‌ କରିଛନ୍ତି। ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ‌ପୋର୍ଟାଲ ଖୋଲାରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ନିଯୁକ୍ତି କମିଟିର ଅଧ୍ୟ୍ୟକ୍ଷ ଯଶୋବନ୍ତ ଜେଠୱା ସୂଚନ‌ା ଦେଇଛନ୍ତି। କମ୍ପ୍ୟୁଟର ଉପରେ ଆଧାରିତ ନିଯୁକ୍ତି ପ୍ରକ୍ରିୟାରେ ସମୟସୀମା ମଧ୍ୟ ଆଜି ଘୋଷଣା କରାଯାଇଛି। ଅଗଷ୍ଟ ୬ ତାରିଖରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା‌ ଅନୁଷ୍ଠିତ ହେବ।

ପୂର୍ବରୁ ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାରେ ପ୍ରିଲିମିନାରି ଓ ମୁଖ୍ୟ ଲିଖିତ ପରୀକ୍ଷା କରାଯାଉଥିଲା। ବର୍ତ୍ତମାନ ପରୀକ୍ଷାର ସରଳୀକରଣ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଗୋଟିଏ ପରୀକ୍ଷା ହେବ। ‘ମଲ୍‌ଟିପୁଲ ଚଏସ୍‌’ ପ୍ରଶ୍ନ ଉପରେ ଆଧାରିତ ଦୁଇଟି ପରୀକ୍ଷା କରାଯିବ। ନିଯୁକ୍ତି ପ୍ରକ୍ର୍ରିୟାରେ ସ୍ବଚ୍ଛତା ଆଣିବାକୁ କମ୍ପ୍ୟୁଟର ମାଧ୍ୟମରେ ମୂଲ୍ୟାୟନ କରାଯିବ। ଶାରୀରିକ ମାନଦଣ୍ଡ ପରୀକ୍ଷାକୁ କୋହଳ କରାଯାଇଥିବାବେଳେ ସାକ୍ଷାତକାର ପରୀକ୍ଷାକୁ ଏଥିରେ ସାମିଲ କରାଯାଇନାହିଁ। ପ୍ରଥମଥର ପ‌ାଇଁ ଏହି ନିଯୁକ୍ତିରେ ତୃତୀୟ ଲିଙ୍ଗ(ଟ୍ରାନସଜେଣ୍ଡର୍‌) ପ୍ରାର୍ଥୀଙ୍କୁ ଆବେଦନ କରିବାର ସୁଯୋଗ ମିଳିଛି। ତାମିଲନାଡୁ ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଭାବେ ତୃତୀୟ ଲିଙ୍ଗକୁ ପ୍ରାର୍ଥୀଙ୍କୁ ଆବେଦନ ଅନୁମତି ଦେଇଛି।

ଶ୍ରୀ ଜେଠୱା କହିଛନ୍ତି, ଏହି ନିଯୁକ୍ତି ପ୍ରକ୍ରିୟାକୁ ଟେକ୍ନୋଲୋଜି ଉପରେ ଆଧାରିତ କରାଯାଇଛି। ସେଥିପାଇଁ ଅନଲାଇନ୍‌ ଆପ୍ଲିକେସନ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ବିନା ଦ୍ବନ୍ଦ୍ବରେ ପ୍ରାର୍ଥୀମାନେ ଅନଲା‌ଇନ୍‌ ମ‌ାଧ୍ୟମରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ ଯେ ୨୨ ବର୍ଷ ଧରି ଷ୍ଟାଫ୍ ସିଲେକସନ କମିସନ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନା କରି ଆସୁଥିବା ବେଳେ ଏଥର ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ପରୀକ୍ଷା ପରିଚାଳନା କରୁଛି।

ସମ୍ବନ୍ଧିତ ଖବର