ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିରୁ ଟଙ୍କା ଆଦାୟ : ଏସ୍‌ଆଇ ନିଲମ୍ବିତ, ଏଏସ୍‌ଆଇ ଓ ୨ ହୋମଗାର୍ଡ ଗିରଫ

ମାଲକାନଗିରି : ପୁଣି ଖାକିରେ ଲାଗିଲା ଦାଗ। ଗଞ୍ଜେଇ ଚାଲାଣ ପାଇଁ ମାଫିଆଙ୍କଠାରୁ ଟଙ୍କା ନେଇ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଏସ୍‌ଆଇ ହରିଶ୍ଚନ୍ଦ୍ର ଗଲୋରୀ। ଘଟଣାରେ ଏଏସଆଇ ନାରାୟଣ ମାଝି ଓ ଦୁଇ ହୋମଗାର୍ଡ ସୀତାକାନ୍ତ ପଟ୍ଟନାୟକ ଓ ସୁଶାନ୍ତ ବେହେରା ଗିରଫ ହେବା ସହ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଗଞ୍ଜେଇ ମାଫିଆଙ୍କୁ ଜେରା ବେଳେ ଏ ଘଟଣା ପଦାକୁ ଆସିଛି।

ଜିଲ୍ଲାର ମୁଦୁଲିପଡ଼ା ଥାନା ଏସଆଇ ହରିଶ୍ଚନ୍ଦ୍ର ଗଲୋରୀ, ଏଏସଆଇ ନାରାୟଣ ମାଝି, ହୋମଗାର୍ଡ ସୀତାକାନ୍ତ ପଟ୍ଟନାୟକ ଓ ସୁଶାନ୍ତ ବେହେରା କିଛି ଦିନ ତଳେ ଏକ ଗଞ୍ଜେଇ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରିଥିଲେ। ହେଲେ ସେହି ଗଞ୍ଜେଇ ଗାଡ଼ିକୁ ପୁଣି ମାଲକାନଗିରି ପୁଲିସ ଧରିବା ସହ ଚାଲାଣକାରୀଙ୍କୁ ଗିରଫ କରିଥିଲା। ଜେରା ବେଳେ ଗଞ୍ଜେଇ ମାଫିଆମାନେ ଏହି ୪ ଜଣ ପୁଲିସ ଅଧିକାରୀଙ୍କୁ ଗାଡ଼ି ଛାଡ଼ିବା ପାଇଁ ଟଙ୍କା ଦେଇଥିବା ମାନିଥିଲେ। ପ୍ରମାଣ ପାଇବା ପରେ ଏସ୍‌ପି ଋଷିକେଶ ଖିଲାରୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଗତ କିଛିଦିନ ଧରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ପୁଲିସର ସମ୍ପୃକ୍ତି ନେଇ ଚର୍ଚ୍ଚା ହେଉଛି। ଏପରିକି ଚିତ୍ରକୋଣ୍ଡା, ଗୋବିନ୍ଦପାଲୀର କିଛି ହୋମଗାର୍ଡ ସିଧାସଳଖ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଯାହାକୁ ନେଇ ପୁଲିସ ସେତେବେଳେ ବଦନାମ ମଧ୍ୟ ହୋଇଥିଲା। ତା ପରେ ଜିଲ୍ଲାର ପ୍ରତ୍ୟେକ ଥାନାରେ ଗଞ୍ଜେଇ ଧରପଗଡ଼ ଜୋରଦାର କରାଯାଇଛି। ଆଜି ସୁଦ୍ଧା ୧୮ ହଜାର କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ପୁଲିସ ଜବତ କରିସାରିଲାଣି। ଆଗକୁ ମଧ୍ୟ ପୁଲିସ ବିଭାଗର କୌଣସି କର୍ମଚାରୀ ଗଞ୍ଜେଇ ମାଫିଆଙ୍କ ସହ ଜଡ଼ିତ ଥିବା ନେଇ ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର