ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ନିହଲପ୍ରସାଦ ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପାହାଡ଼ ନିଶ୍ଚିହ୍ନ ହେବାକୁ ବସିଲାଣି। ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତିପାରୁନି ଏହି ପାହାଡ଼। ଏଠାରେ ପ୍ରଶାସନର କଳ, ବଳ ଓ କୌଶଳ ବିଫଳ ହୋଇଛି। ମାଫିଆମାନେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ରାଜ୍ ଚଳାଇଥିବା ଅଭିଯୋଗ ହୋଇ ଆସୁଛି। ପ୍ରଶାସନ ପକ୍ଷରୁ ଆଜି ସଂପୃକ୍ତ ପାହାଡ଼ରେ ଚଢ଼ଉ କରାଯାଇ ଏକ ଲୋଡର୍ ମେସିନ୍କୁ ଜବତ କରି ଥାନାକୁ ଅଣାଯାଉଥିଲା। ହେଲେ ମାଫିଆମାନେ ତାକୁ ଅଧ ବାଟରୁ ଛଡ଼ାଇ ନେଇଛନ୍ତି। ମାଫିଆମାନେ ସରକାରୀ କଳକୁ ଭୟ କରୁ ନଥିବା ସ୍ପଷ୍ଟ ହୋଇଛି। ଏପରିକି, ଗ୍ରିନ୍ ଟ୍ରିବ୍ୟୁନାଲଙ୍କ କଟକଣାକୁ ମଧ୍ୟ ଖାତିର୍ କରୁନାହାନ୍ତି।
ନିଶ୍ଚିହ୍ନ ହୋଇଯିବ ନିଶ୍ଚିନ୍ତା ପାହାଡ଼
ପ୍ରଶାସନର ଚଢ଼ଉ ବହୁ ଆଡ଼ମ୍ବରେ ଲଘୁକ୍ରିୟା
ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ନିହଲପ୍ରସାଦ ଅଞ୍ଚଳରେ ରହିଛି ନିଶ୍ଚିନ୍ତା ପାହାଡ଼। ଏଠାରୁ ଦୈନିକ ହାରାହାରି ୩୦ ହଜାର ଟନ୍ରୁ ଊର୍ଦ୍ଧ୍ୱ କଳାପଥର ଉତ୍ତୋଳନ କରି ବାହାରକୁ ଚୋରା ଚାଲାଣ ହେଉଛି। ପ୍ରଶାସନର ଚଢ଼ଉ ଲୋକ ଦେଖାଣିଆ ବୋଲି ଅଭିଯୋଗ ହୋଇଆସୁଛି। ନିଶ୍ଚିନ୍ତା ପାହାଡ଼କୁ ଖଣି ବିଭାଗ ପକ୍ଷରୁ ନିଲାମ ଦିଆଯାଇନି। ପ୍ରଶାସନ ପକ୍ଷରୁ ସେଠାରେ ବିଏନ୍ଏସ୍- ୧୬୩ ଧାରା ଜାରି କରାଯାଇ ସଂପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହିପରି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଓ ପରିବେଶ ପ୍ରଦୂଷଣ ବୋର୍ଡ ପକ୍ଷରୁ ମଧ୍ୟ ସେଠାରେ କଟାକଣା ଲଗାଯାଇଛି। ଏତେ ସବୁ ସତ୍ତ୍ବେ ମାଫିଆମାନେ ପାହାଡ଼କୁ
କୋରି ନେଉଛନ୍ତି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଲୁଟ୍ ରୋକା ଯାଇପାରୁନି। ପାହାଡ଼ ଲୁଟ୍ ପଛରେ ୬/୭ଟି କ୍ରସର୍ ମାଲିକଙ୍କ ସଂପୃକ୍ତି ରହିଥିବା ବେଳେ ରାଜନେତାଙ୍କ ବାହୁଛାୟା ତଳେ ରହି ମାଫିଆମାନେ ଲୁଟ୍ ଚଳାଇଛନ୍ତି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଚଢ଼ଉ ପାଇଁ ଭୟ କରୁଛନ୍ତି ବୋଲି ଅଭିଯୋଗ ଉଠାଇ ଆଜି ପୂର୍ବତନ ବିଧାୟକ ନବୀନ ନନ୍ଦ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମେଲ୍ କରିଛନ୍ତି। ଏହାର ନକଲ ଜଙ୍ଗଲ, ଖଣି ଓ ରାଜସ୍ୱ ବିଭାଗକୁ ଦିଆଯାଇଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଜି ସଦର ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କ ନେତୃତ୍ୱରେ ଗଁଦିଆ ଅତିରିକ୍ତ ତହସିଲଦାର ସୌଭାଗ୍ୟ ମହାନ୍ତି, ଖଣି ଅଧିକାରୀ ଡମ୍ବରୁଧର ମହାନ୍ତ ଓ ପୁଲିସ ଅଧିକାରୀମାନେ ୪ଟି ଗାଡ଼ିରେ ଯାଇଥିବା ବେଳେ ଏକ ବସ୍ରେ ପୁଲିସ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ଚଢ଼ଉ କରିଥିଲେ। ଏହି ଟିମ୍ ଘଟଣାସ୍ଥଳରୁ ଗୋଟିଏ ଟ୍ରାକ୍ଟର୍ ଓ ଗୋଟିଏ ଲୋଡର୍ ମେସିନ୍ ଜବତ କରି ନିହଲପ୍ରସାଦ ଥାନାକୁ ଆଣୁଥିବା ବେଳେ ବାଟରୁ ମାଫିଆମାନେ ଲୋଡର୍ ମେସିନ୍କୁ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ କହିଛନ୍ତି ଯେ ଜବତ କରି ଆଣୁଥିବା ବେଳେ ବ୍ୟବଧାନ ଅଧିକ ରହିବାରୁ ଲୋଡର୍ ମେସିନକୁ ମାଫିଆମାନେ ଖସାଇ ନେଇଛନ୍ତି। ଜବତ ହୋଇଥିବା ଟ୍ରାକ୍ଟରର ନମ୍ବର ନାହିଁ କିମ୍ବା ଇଞ୍ଜିନ୍ ନମ୍ବର ମଧ୍ୟ ନାହିଁ। ଯାହା ଫଳରେ ଏହା କାହାର ଜଣାପଡ଼ୁ ନାହିଁ। ଏ ନେଇ ଦୁଇଟି ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।