କଟକ: ବ୍ରାଉନ୍ସୁଗାର କାରବାରରେ ଓଡ଼ିଶା ପୁଲିସର ଓୟାରଲେସ୍ରେ କାର୍ଯ୍ୟରତ ପୁଲିସ ଏସ୍ଆଇଙ୍କ ପୁଅର ସମ୍ପୃକ୍ତି ସାମନାକୁ ଆସିଛି। ସେ ହେଉଛି ତୁଳସୀପୁର ପୁଲିସ କଲୋନିରେ ରହୁଥିବା ଚନ୍ଦନ ବେହେରା(୧୯)। କଟକ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ଚନ୍ଦନ ସମେତ ଦେଉଳସାହିର ସୁକୁ ଓରଫ ବିଶ୍ୱରଞ୍ଜନ ସ୍ୱାଇଁକୁ ଗିରଫ କରିଛି। ଏମାନଙ୍କ ନିକଟରୁ ୨୪୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଦୁଇ ଅଭିଯୁକ୍ତ ଭଦ୍ରକରୁ ବ୍ରାଉନସୁଗାର ଆଣୁଥିଲେ।
ମଙ୍ଗଳବାର ଅପରାହ୍ଣରେ ଦେଉଳସାହି ଛକ ନିକଟରେ ଜଣେ ଯୁବକ ବ୍ରାଉନ୍ସୁଗାର ଧରି ବିକ୍ରି ପାଇଁ ଆସିଥିବା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଖବର ପାଇଥିଲା। ଏହାପରେ ଅବକାରୀ ଟିମ୍ ଚଢ଼ଉ କରି ଅଭିଯୁକ୍ତ ଚନ୍ଦନ ବେହେରା ନିକଟରୁ ୧୧୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିଲା। ଚନ୍ଦନ ଜଣେ ପୁଲିସ ଏସ୍ଆଇଙ୍କ ପୁଅ ବୋଲି ଜଣାପଡ଼ିବା ପରେ ଅବକାରୀ ଅଧିକାରୀ ଚକିତ ହୋଇଯାଇଥିଲା। ତାଙ୍କ ବାପାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରିଛି। କିନ୍ତୁ ପୁଅର ଏହି କାରବାର ସମ୍ପର୍କରେ ପରିବାର ଲୋକେ ଜାଣିନଥିବା ଅବକାରୀ ଅଧିକାରୀଙ୍କୁ କହିଥିଲେ। ଚନ୍ଦନ ନିକଟରୁ ଏକ ବୁଲେଟ୍ ମଧ୍ୟ ଜବତ କରାଯାଇଛି।
ସେହିଭଳି ସନ୍ଧ୍ୟାରେ ଜଗତପୁର ନିମପୁରରୋଡ ନିକଟରେ ଜଣେ ନିଶା ବେପାରୀ ଯାଉଥିବା ସମ୍ପର୍କରେ ସୂଚନା ମିଳିଥିଲା। ଅବକାରୀ ବିଭାଗର ଗ୍ରାମାଞ୍ଚଳ ରେଞ୍ଜ ଟିମ୍ ସେଠାରେ ଚଢ଼ଉ କରି ବିଶ୍ୱରଞ୍ଜନ ନିକଟରୁ ଏକ ଜରି ପୁଡ଼ିଆରେ ଥିବା ୧୩୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଉଭୟଙ୍କୁ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣାଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ୟୁନିଟ୍ ଇନ୍ସ୍ପେକ୍ଟର ଅଭିରାମ ସାହୁ, ଗ୍ରାମାଞ୍ଚଳ ରେଞ୍ଜ ଇନ୍ସ୍ପେକ୍ଟର ମାନସୀ ନାୟକ, ଏସ୍ଆଇ ସନ୍ଧ୍ୟାରାଣୀ ଦାସ, ରାଜେଶ କୁମାର ପଟେଲ, ଏଏସ୍ଆଇ ହେମନ୍ତ କୁମାର ମଲ୍ଲିକ ଓ ରଶ୍ମିତା ଦେହୁରୀ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।
ନୀତିର ପାଠ ପଢାଉଥିବା ପୁଲିସ ଘରେ ବ୍ରାଉନ୍ସୁଗାର୍ ବେପାର... ପୁଲିସ ପୁଅ ବ୍ରାଉନ୍ସୁଗାର୍ ବେପାରୀ
କଟକ: ବ୍ରାଉନ୍ସୁଗାର କାରବାରରେ ଓଡ଼ିଶା ପୁଲିସର ଓୟାରଲେସ୍ରେ କାର୍ଯ୍ୟରତ ପୁଲିସ ଏସ୍ଆଇଙ୍କ ପୁଅର ସମ୍ପୃକ୍ତି ସାମନାକୁ ଆସିଛି।
/sambad/media/media_files/2025/08/20/new-project-28-2025-08-20-10-59-59.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/29/2025-01-29t142309426z-whatsapp-image-2025-01-03-at-23901-am.jpeg)