ଭୂପେନ୍ ଗଡ଼ନାୟକ
କଣିହାଁ: ଅନୁଗୁଳ ଜିଲ୍ଲାରେ ଏମିତି ବି ଗାଁ ରହିଛି ଯାହା ଛେଣ୍ଡିପଦା ବ୍ଲକ୍‌ରେ ରହିଥିଲା ବେଳେ ତା’ର ଥାନା ରହିଛି କଣିହାଁ ବ୍ଲକ୍‌ରେ। ଗାଁଠାରୁ ଥାନାର ଦୂରତା ପୁଣି ୩୫ କିଲୋମିଟର। ଗାଁରେ ହଠାତ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କି ଅଘଟଣ ଘଟିଲେ ପୁଲିସ ସବୁଠୁ ବିଳମ୍ବରେ ପହଞ୍ଚେ। ଏପରିକି ସାମାନ୍ୟ ମାମଲାରେ ୩୫ କି.ମି. ଦୂରକୁ ଯାଇ ଥାନାରେ ଏତଲା ଦେବାରେ ଲୋକେ ଅଯଥା ହଇରାଣ ହେଉଥିବା କହିଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କୌଣସି ଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ।

Advertisment

ଛେଣ୍ଡିପଦା ବ୍ଲକ୍‌ ପାଟକୁମୁଣ୍ଡା ପଞ୍ଚାୟତ ଅଧୀନ ସୁନ୍ଦରପାଳ ଗାଁ। ଗ୍ରାମର ଲୋକସଂଖ୍ୟା ପ୍ରାୟ ୬୦୦ ରୁ ଅଧିକ। ଗାଁଠାରୁ ମାତ୍ର ୧୨ କିମି ଦୂରରେ ଛେଣ୍ଡିପଦା ବ୍ଲକ୍‌ ରହିଛି। ଛେଣ୍ଡିପଦା ବ୍ଲକ୍‌ରେ ବ୍ଲକ୍‌ କାର୍ଯ୍ୟାଳୟଠାରୁ ଆରମ୍ଭକରି ଥାନା ଓ ଅନ୍ୟ ସରକାରୀ ଅନୁଷ୍ଠାନ ରହିଛି। କିନ୍ତୁ ଏହି ସୁନ୍ଦରପାଳ ଗାଁ ଛେଣ୍ଡିପଦା ଥାନା ଅଧୀନରେ ନରହି ଗାଁଠାରୁ ପ୍ରାୟ ୩୫ କି.ମି. ଦୂର କଣିହାଁ ବ୍ଲକ୍‌ ରେଙ୍ଗାଳି ଅଧୀନରେ ରହିଛି। ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନା ମୁତାବକ, ଦୀର୍ଘ ବର୍ଷ ଧରି ସୁନ୍ଦରପାଳ ଗାଁ କଣିହାଁ ବ୍ଲକ୍‌ ବଡ଼ଗୁଣ୍ଡୁରୀ ରାଜସ୍ବ ସର୍କଲ ଅଧୀନରେ ରହିଥିଲା। ଏହାର ତହସିଲ୍‌ କାର୍ଯ୍ୟାଳୟ କଣିହାଁରେ ରହିଥିଲା। କିନ୍ତୁ କିଛି ମାସ ହେଲା କଣିହାଁ ତହସିଲ୍‌ରୁ ଛେଣ୍ଡିପଦା ତହସିଲ୍‌ ଅଧୀନକୁ ଗାଁଟି ଯାଇଥିବା ବେଳେ ଛେଣ୍ଡିପଦା ତହସିଲ୍‌ରେ ଲୋକଙ୍କ କୌଣସି କାମ ହୋଇପାରୁ ନାହିଁ। ଜମି ସଂକ୍ରାନ୍ତୀୟ କାର୍ଯ୍ୟ କିମ୍ୱା ଜମିଜମା କିଣାବିକା ପାଇଁ ଗାଁଠାରୁ ପ୍ରାୟ ୮୦ କିଲୋମିଟର ଦୂର ତାଳଚେର ତହସିଲ୍‌ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ଥରେ ତାଳଚେର ଗଲେ ପୂରାଦିନ ନଷ୍ଟ ହେଉଛି ବୋଲି ଲୋକେ କହିଛନ୍ତି। ଗାଡ଼ି ମୋଟର କରି ଶହ ଶହ ଟଙ୍କା ପାଣିରେ ପକାଇବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି। ଛେଣ୍ଡିପଦା ତହସିଲ୍‌ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରେସନ୍‌ ହୋଇପାରୁନାହିଁ। ସେହିପରି ୧୨କିଲୋମିଟର ଦୂରରେ ଛେଣ୍ଡିପଦା ଥାନା ରହିଥିଲେ ମଧ୍ୟ ଗାଁଠାରୁ ୩୫କିଲୋମିଟର ଦୂର ରେଙ୍ଗାଳି ଥାନାକୁ ଲୋକଙ୍କୁ ଯିବାକୁ ପଡୁଛି।

ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଲୋକାଭିମୁଖୀ ଯୋଜନା କରୁଛନ୍ତି। ଲୋକଙ୍କ ହାତ ପାହାନ୍ତାରେ ସରକାରୀ ଯୋଜନାର ଫଳ ମିଳୁଥିବା ଡିଣ୍ଡିମ ପିଟା ଚାଲିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଏଠାରେ ଦେଖିବାକୁ ମିଳୁଛି। ସୁନ୍ଦରପାଳ ଗାଁ ପୂର୍ବରୁ ତାଳଚେର ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିଲା। ପରେ ତାଳଚେର ନିର୍ବାଚନମଣ୍ଡଳୀରୁ ଏହାକୁ ବାଦ୍‌ ଦେଇ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅଧୀନକୁ ଅଣାଯାଇଥିଲା। ତେବେ ସୁନ୍ଦରପାଳ ଗାଁକୁ ଛେଣ୍ଡିପଦା ଥାନା ଓ ତହସିଲ୍‌ ଅଧୀନରେ ରଖିବାକୁ ଦାବି ହୋଇଛି।