ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କନ୍ଧମାଳ ପୁଲିସର ମୋଷ୍ଟ୍ ୱାଣ୍ଟେଡ୍‌ ତାଲିକାରେ ଥିବା ବିଶ୍ବରଞ୍ଜନ କହଁର ଓରଫ ବାପିକୁ ଆଜି ଗିରଫ କରାଯାଇଛି। ଗତକାଲି ରାତିରେ ଫିରିଙ୍ଗିଆ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଶ୍ବରଞ୍ଜନକୁ ନୟାଗଡ଼ରୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ବିଶ୍ବରଞ୍ଜନ ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିବା ବେଳେ ଏକ ପ୍ରମୁଖ ରାଜନୈତିକ ଦଳର ଯୁବନେତା ଭାବେ ଦାୟିତ୍ବ ତୁଲାଉଥିଲା। ତାର ପତ୍ନୀ ବର୍ତ୍ତମାନ ସମିତିସଭ୍ୟା ଅଛନ୍ତି। ବିଶ୍ବରଞ୍ଜନ ଗିରଫ ହେବା ପରେ ପୁଲିସକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତଦନ୍ତରୁ ଜଣାପଡ଼ିଛି ବିଶ୍ବରଞ୍ଜନର ଇଙ୍ଗିତରେ ହିଁ ଉତ୍ତ୍ୟକ୍ତ ଜନତା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଥିଲେ। ଏଣୁ ତାକୁ ପୁଲିସ ଖୋଜୁଥିଲା। ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ମୋଟ ୩୦୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୧୯ ଜଣଙ୍କୁ ଗିରଫ କରିଥିଲା। ତେବେ ମାଷ୍ଟରମାଇଣ୍ଡ୍ ବିଶ୍ବରଞ୍ଜନକୁ ଗିରଫ କରିବା ପରେ ପୁଲିସକୁ ବଡ଼ ସଫଳତା ମିଳିଛି। ତାର ସହଯୋଗୀଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଥିବା କନ୍ଧମାଳ ଏସ୍‌.ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଥାନା ପୋଡ଼ି ଘଟଣା ପରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ପୁଲିସ ପ୍ରୟାସ ଆରମ୍ଭ କରିଛି। ଏହିକ୍ରମରେ ଫିରିଙ୍ଗିଆ ଥାନାରେ ଆଜି ଆମ ପୁଲିସ ଓ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ୍‌ର ସମସ୍ତ ପଞ୍ଚାୟତରୁ ଜନପ୍ରତିନିଧି ଓ ବରିଷ୍ଠ ନାଗରିକ ଏହି ବୈଠକରେ ଯୋଗ ଦେଇଥିଲେ। ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡେପୁଟି କମାଣ୍ଡେଣ୍ଟ୍ ପ୍ରଦୀପ୍ତ କୁମାର ରାଉତ, ଅଷ୍ଟମ ଆଇଆରବି ସୁବେଦାର ଦାଶରଥୀ ସୁରେନ, ଏସଡିପିଓ ସୁପ୍ରସନ୍ନ ମଲିକ, ଅତିରିକ୍ତ ଥାନାଧିକାରୀ ଅଜୟ କୁମାର ସାହୁଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ, ବଣିକ ସଂଘ ସଦସ୍ୟ ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ବୈଠକରେ ଅଧିକାରୀମାନେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କୌଣସି ନିରୀହ ଓ ଘଟଣାରେ ସମ୍ପୃକ୍ତ ନଥିବା ବ୍ୟକ୍ତିକୁ ଗିରଫ କରାଯିବ ନାହିଁ ବୋଲି କହିଥି‌ଲେ। ଯଦି ଏତଲାରେ କାହାର ନାମ ଅଛି, ପ୍ରମାଣ ନଥିଲେ ତାଙ୍କୁ ଗିରଫ କି ହଇରାଣ କରାଯିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଥିଲା। ସେମାନେ ବି ଶାନ୍ତି ପ୍ରତିଷ୍ଠା ପାଇଁ ସହମତି ଜଣାଇଥିଲେ। ଶାନ୍ତି ବାତାବରଣ ସୃଷ୍ଟି ସହ କେହି ଭୟଭୀତ ନହୋଇ ଥାନାଧିକାରୀଙ୍କ ସହ ନିର୍ଭୟରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିଲା।