କ‌େରାନା କବଳରେ ଥାନା : ୬ ଦିନରେ ବନ୍ଦ ହେଲାଣି ୩ ଥାନା

ଭୁବନେଶ୍ୱର : ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା। ଅତି କମ୍‌ ଦିନରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। କୋଭିଡ୍‌ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ବି ଏଥିରୁ ବାଦ୍‌ ଯାଇ ନାହାନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଗୋଟିଏ ପରେ ଗୋଟିଏ ଥାନା ସିଲ୍‌ ହେବାରେ ଲାଗିଛି। ୬ ଦିନରେ ଅଦ୍ୟାବଧି ୩ଟି ଥାନା ସିଲ୍‌ ହୋଇଛି। ଗୋଟିଏ ପରେ ଗୋଟିଏ ଥାନା ଏଭଳି ସିଲ୍‌ ହେଲେ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଆହ୍ବାନ ହେବା ସହ ଅନ୍ୟ ଥାନାଗୁଡ଼ିକ ପାଇଁ ଚାପ ସୃଷ୍ଟି କରିବ। ଫଳରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ କମିସନରେଟ୍‌ ପୁଲିସରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜୁଲାଇ ୧୩ ତାରିଖରେ କୋରାପୁଟ ବୈପାରୀଗୁଡ଼ା ଥାନାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ହେବା ପରେ ଏହି ଥାନାକୁ ସିଲ୍‌ କରାଯାଇଥିଲା। ସିଲ୍‌ କରାଯିବା ପରେ ସମସ୍ତ ଏତଲାକରୀଙ୍କୁ ଜୟପୁର ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିଭଳି ଏହି ଥାନା ଅଞ୍ଚଳ‌ରେ ଘଟୁଥିବା ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜୟପୁର ଥାନାକୁ କୁହାଯାଇଥିଲା। ଯଦିଓ ଏହି ସମୟରେ କୌଣସି ବଡ଼ ଅଘଟଣ ଘଟିନଥିଲା ତଥାପି ଜୟପୁର ଥାନା ଚାପରେ ରହିଥିଲା।

ଜୁଲାଇ ୧୭ ତାରିଖରେ କୋରାପୁଟ ଟାଉନଥାନା ସିଲ୍‌ ହୋଇଥିଲା। ଏଠାରେ ଜଣେ ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ଏହି ସମୟରେ ଟାଉନ ଥାନାର ସମସ୍ତ ଦାୟିତ୍ବ ସଦର ଥାନା ନେଇଥିଲା। ଜୁଲାଇ ୧୯ ତାରିଖରେ ଧାମନଗର ଥାନାକୁ ସିଲ୍‌ କରାଯାଇଛି। ଏଠାରେ ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନ ଏହାକୁ ସିଲ୍‌ କରିଛି। ଏହି ସମୟରେ ହେଉଥିବା ଏତଲା ଭଣ୍ଡାରିପୋଖରୀ ଥାନା ଗ୍ରହଣ କରୁଛି। ଅପରାଧ ନିୟନ୍ତ୍ରଣ ସହ ଅନ୍ୟ ସମସ୍ତ ଦାୟିତ୍ବ ମଧ୍ୟ ଏହି ଥାନା ଉପରେ ରହଛି। ଏଣୁ ଦୁଇଦିଇଟି ଥାନାଞ୍ଚଳ ଦାୟିତ୍ବ ନେଇ ଭଣ୍ଡାରି ପୋଖରୀ ଥାନା ଚାପରେ ରହିଛି। ତେବେ କେବଳ ଥାନା ଚାପରେ ରହୁନାହାନ୍ତି ବରଂ ଏତଲାକାରୀଙ୍କୁ ଅନେକ ଦୂର ଯିବାକୁ ପଡ଼ୁଛି। ସେହିଭଳି ଦୁଇଟି ଥାନାଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ଗୋଟିଏ ଥାନାକୁ କାଠିକର ପାଠ ହେଉଛି। ଫଳରେ ଅପରାଧୀଙ୍କୁ ସୁହାଇଛି। ନିକଟ ଅତୀତ‌ରେ କମିସନରେଟ ପୁଲିସର ଦୁଇ କନେଷ୍ଟବଳଙ୍କର ପଜିଟିଭ୍‌ ବାହାରିବା ପରେ ଏକ ଥାନାକୁ ସାନିଟାଇଜ୍‌ କରାଯିବା ସହ ସମସ୍ତ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ପୁଲିସ ସେବା ଭବନକୁ ମଧ୍ୟ ଦୁଇଦିନ ବନ୍ଦ ରଖାଯାଇଥିଲା। ସମସ୍ତ ଥାନା ଡିସିଓ ଟେବୁଲ୍‌କୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଉଠାଇ ଅଣାଯାଇଛି। କୌଣସି ଲୋକକୁ ଭିତରକୁ ପଶିବାକୁ ଦିଆଯାଉ ନାହିଁ। କିନ୍ତୁ ପ୍ରତ୍ୟେକ ଦିନର ଆଇନ ଶୃଙ୍ଖଳା ସହ ନାକାବନ୍ଦୀରେ ପୁଲିସ ଏନ୍‌ଫୋର୍ସମେଣ୍ଟ କରୁଥିବାରୁ ପରିସ୍ଥିତି ଜଟିଳ ହୋଇଛି।

ସମ୍ବନ୍ଧିତ ଖବର